ଖାତାରୁ ଗାଏବ ହେଲେ ବ୍ୟାଙ୍କ ଦେବ ଟଙ୍କା ? ଠକାମିର ଶିକାର ହେଲେ ବି ବ୍ୟାଙ୍କ ଫେରାଇବ ପଇସା ! ସାଇବର ଠକେଇରେ ଫସିଗଲେ ଜାଣନ୍ତୁ କିଭଳି ଏବଂ କେଉଁଠି ଅଭିଯୋଗ କଲେ ତରୁନ୍ତ ଫେରିପାଇବେ ଆପଣଙ୍କ ହଜିଯାଇଥିବା ଟଙ୍କା?

1,147

କନକ ବ୍ୟୁରୋ: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରକୋପ ବଢିଚାଲିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ବାରଣ କରିବା ସହ କରୋନାରୁ ବର୍ତ୍ତିବା ପାଇଁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି । ସେହିଭଳି କୋଭିଡ୍ ଭୁତାଣୁ ନିଜକୁ ରକ୍ଷା କରିବା ପାଇଁ ଲୋକେ ଏବେ ନଗଦ ଟଙ୍କା ଅପେକ୍ଷା ଡିଜିଟାଲ ଟ୍ରାନଜାକସନକୁ ବେଶି ଗୁରୁତ୍ୱ ଦେଉଛନ୍ତି । ଫଳରେ କ୍ୟାସଲେସ ଟ୍ରାନଜାକ୍ସନ ସହିତ ବର୍ତ୍ତମାନ ଦେଶରେ ଠକେଇ ମାମଲା ମଧ୍ୟ ବଢିବାରେ ଲାଗିଛି । ତେଣୁ ଯଦି ଆପଣଙ୍କୁ କେବେ ଏଭଳି କୌଣସି ସଂକଟର ସାମ୍ନା କରନ୍ତୁ ତେବେ ଜାଣିରଖନ୍ତୁ କି ଏଭଳି ପରିସ୍ଥିତିରେ ଆପଣଙ୍କୁ ପ୍ରଥମେ କଣ କରିବାକୁ ହେବ? କିଭଳି ନିଜକୁ ସାଇବର ଠକଙ୍କ କବଳରୁ ରକ୍ଷା କରିବେ ଆଉ କେମିତି ହରାଇଥିବା ଟଙ୍କାକୁ ଆପଣ ଫେରିପାଇବେ ?

ଯଦି ଆପଣ କୌଣସି ଠକେଇର ଶିକାର ହୋଇଛନ୍ତି କିମ୍ବା ଭବିଷ୍ୟତରେ କେବେ ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଏସଂକ୍ରାନ୍ତରେ ସର୍ବ ପ୍ରଥମେ ନିଜ ବ୍ୟାଙ୍କରେ ଅଭିଯୋଗ କରିବାକୁ ହେବ । ତେଣୁ ସବୁବେଳେ ଆପଣ ଯେଉଁ ବ୍ୟାଙ୍କରେ ଆର୍ଥିକ କାରବାର କରୁଛନ୍ତି ଉକ୍ତ ବ୍ୟାଙ୍କର ହେଲ୍ପଲାଇନ ନମ୍ବରକୁ ନିଜ ମୋବାଇଲରେ ସେଭ୍ କରି ରଖନ୍ତୁ ଏବଂ ବ୍ୟାଙ୍କ ଜନିତ କୌଣସି ଅସୁବିଧା ହେଲେ ତୁରନ୍ତ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ । ଏହି ସହିତ ନିଜ କାର୍ଡକୁ ତୁରନ୍ତ ବ୍ଲକ କରିବାକୁ ମଧ୍ୟ କୁହନ୍ତୁ ।

ଠକାମିର ଶିକାର ହେଲେ କରିବେ କଣ?

ସେହିଭଳି ବ୍ୟାଙ୍କରେ ଅଭିଯୋଗ କରିବା ସହ ଆପଣଙ୍କୁ ଉଭୟ ପୁଲିସ ଏବଂ ସାଇବର ସେଲରେ ମଧ୍ୟ ଏସଂକ୍ରାନ୍ତରେ ଅବଗତ କରାଇବାକୁ ହେବ । ଏଥିପାଇଁ ଆପଣଙ୍କୁ କିଛି ଦସ୍ତାବିଜ ଯେପରିକି ଆଇଡି ପ୍ରୁଫ୍, ଆଡ୍ରେସ ପ୍ରୁଫ ଏବଂ ବ୍ୟାଙ୍କ ଆକାଉଂଟର ପାସବୁକର ଜେରକ୍ସ ଇତ୍ୟାଦିର ଆବଶ୍ୟକତା ପଡିବ । ଏବଂ ସବୁଠୁ କଥା ତଥା ଗୁରୁତ୍ୱର୍ଣ୍ଣ କଥା ହେଉଛି ଆପଣ କରିଥିବା ଲିଖିତ ଅଭିଯୋଗର ଏକ କପି ମଧ୍ୟ ନିଜ ପାଖରେ ରଖିବାକୁ ଯେଭଳି ନଭୁଲିବେ । ଯାହା ଭବିଷ୍ୟତରେ ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ଏହାପରେ ଆପଣଙ୍କୁ ଆପଣଙ୍କ ହୋମ ବ୍ରାଂଚରେ ମଧ୍ୟ ଏନେଇ ସୂଚନା ଦେବାକୁ ହେବ । ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ କେତେକ ଫର୍ମ ବି ଭରିବାକୁ କହିବ ଯାହାକୁ ଆପଣଙ୍କୁ ସଠିକ୍ ରୂପେ ଭରିବାକୁ ପଡିବ । ଏହାପରେ ବ୍ୟାଙ୍କ ତରଫରୁ ତନାଘନା ଆରମ୍ଭ କରିଦିଆଯିବ । ଆଉ ଯଦି ଯାଂଚ ବେଳେ ବ୍ୟାଙ୍କକୁ ଲାଗିବ କି ଆପଣ ବାସ୍ତବରେ କୌଣସି ଠକେଇର ଶିକାର ହୋଇଛନ୍ତି କିମ୍ବା ହ୍ୟାକିଂର ଶିକାର ହୋଇଛନ୍ତି ତେବେ ବ୍ୟାଙ୍କ ଆପଣଙ୍କ ଆକାଉଂଟରେ ସବୁ ଟଙ୍କା ତକ ଜମା କରିଦେବ । ଯେଉଁ ଟଙ୍କା ସାଇବର ଠକ ଆପଣଙ୍କ ବ୍ୟାଙ୍କ ଆକାଉଂଟରୁ ହରିଲୁଟ କରିନେଇଥିଲା ।