ପ୍ରେମରେ ଫସେଇ ଲୁଟି ନେଲା ସାଇବର ଠକ । ବିବାହ ପ୍ରତିଶ୍ରୁତି ଦେବା ପରେ ବିଦେଶୀ ଗିପ୍ଟ ନାଁରେ ଲୁଟି ନେଲେ ପ୍ରାୟ ୪ ଲକ୍ଷ ଟଙ୍କା ।

1,204

କନକ ବ୍ୟୁରୋ: ସାଇବର ଅପରାଧୀକୁ ରୋକିବା ପାଇଁ ଯେତେ ପ୍ରକାର ବ୍ୟବସ୍ଥା କରାଗଲେ ବି ସେମାନେ ନୂଆ ନୂଆ ଚାଲ କରି ଠକେଇ ଜାରି ରଖିଛନ୍ତି । କେତେବେଳେ ଫେସବୁକ୍ ସାଇଟରେ ବନ୍ଧୁତା କରି ତ ଆଉ କେତେବେଳେ ବ୍ୟାଙ୍କ ଆକାଉଣ୍ଟ ଡାଟା ଅପଡେଟର ବାହାନା କରି । ଠିକ୍ ସେହିପରି ଏବେ, ମେଟ୍ରିମୋନିଆଲ ସାଇଟରେ ପରିଚୟ ପରେ, ନିଶ୍ଚିନ୍ତ କୋଇଲି ଅଞ୍ଚଳର ସର୍ବ ପ୍ରସନ୍ନ ପଣ୍ଡାଙ୍କୁ ପ୍ରେମ ଜାଲରେ ଫସାଇ ପ୍ରାୟ ଚାରି ଲକ୍ଷ ଟଙ୍କା ଠକି ନେଇଛନ୍ତି ଜଣେ ଯୁବତୀ ।

ମେଟ୍ରିମେନିଆଲ ସାଇଟରେ ପରିଚୟ ପରେ ହ୍ୱାଟ୍ସଆପ୍ ଆପ୍ ଚାର୍ଟ ଜରିଆରେ କଥାବାର୍ତା କରିଥିଲେ ସର୍ବ ପ୍ରସନ୍ନ ପଣ୍ଡା । ଆଉ ଧିରେ ଧିରେ ଚିହ୍ନା ପରିଚୟ, ବିବାହ ଯାଏଁ କଥା ଯାଇଥିଲା । ପ୍ରେମର ଫାଶ ପକାଇ ଠକେଇର ଜାଲ ବୁଣି ସାରିଥିଲା ସାଇବର ଠକ୍ । କିନ୍ତୁ ସର୍ବ ପ୍ରସନ୍ନ ଏ ସମ୍ପର୍କରେ ସୁରାଗ ବି ପାଇନଥିଲେ ।

କଥାବାର୍ତା ଭିତରେ ଯୁବତୀ ଜଣକ ଅଭିଯୋଗକାରୀଙ୍କୁ କହିଥିଲା, ସେ ଝାଡଖଣ୍ଡର ମୂଳବାସିନ୍ଦା । କିନ୍ତୁ ଏବେ ସେ ବିଧବା ମା’ଙ୍କ ସହ ଲଣ୍ଡନରେ ରହୁଛନ୍ତି । ଆଉ ପେଷାରେ ଜଣେ ଡାକ୍ତର । ଓଡ଼ିଶାରେ ଏକ ମେଡ଼ିକାଲ ଖୋଲିବାକୁ ଚାହୁଁଛନ୍ତି ବୋଲି ବି ସର୍ବପ୍ରସନ୍ନଙ୍କୁ ବି କହିଥିଲା । ଏମିତି କି ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ।

ବହୁଦିନ ଧରି କଥାବାର୍ତା ହେବା ପରେ ସର୍ବପ୍ରସନ୍ନ ଓ ପ୍ରୀତି ବିବାହ କରିବା ନେଇ ଆଲୋଚନା କରିଥିଲେ । ଆଉ ଏହାରି ଭିତରେ ଇଂଲଣ୍ଡରୁ ଏକ ଗିପ୍ଟ ପାର୍ସଲ କରିଛି ବୋଲି ସର୍ବ ପ୍ରସନ୍ନଙ୍କୁ କହିଥିଲେ ସଂପୃକ୍ତ ଯୁବତୀ । ଯେଉଁଥିରେ ଘଂଟା, ସୁନା ଚେନ୍ ଏବଂ କିଛି ବିଦେଶୀ ଟଙ୍କା ଥିଲା କହିଥିଲେ । ଆଉ ଏହି ଟଙ୍କା ଏବଂ ଗିଫ୍ଟ ପାଇବା ଆଶାରେ ଠକିଗଲେ ସର୍ବପ୍ରସନ୍ନ ।

ଏହାପରେ ପ୍ରଥମେ ୩୮ ହଜାର ପରେ ୯୭ ହଜାର କରି ୩ଟି ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରାୟ ୪ ଲକ୍ଷ ଟଙ୍କା ହାତରୁ ଯିବା ପରେ, ସେ ଜାଣିପାରିଥିଲେ ଯେ, ସେ ସାଇବର ଠକେଇ ଶିକାର ହୋଇଯାଇଛନ୍ତି । କାରଣ, ଇଂଲଣ୍ଡରୁ ଆସୁଥିବା ପାର୍ସଲ ଆସିନଥିଲା । ବରଂ ପାର୍ସଲ ନାଁରେ ଟଙ୍କା ଆଦାୟ କ୍ରମାଗତ ଜାରି ରହିଥିଲା । ଏମିତି କି ତାଙ୍କୁ ୫ ଲକ୍ଷ ଟଙ୍କା ଯାଏଁ ଦେବାକୁ ଫୋନ୍ରେ କୁହାଯାଇଥିଲା ।

ଆଉ ସବୁ କିଛି ଚାଲିଯିବା ପରେ ଏବେ ସାଇବର ସେଲର ଆଶ୍ରୟ ନେଇଛନ୍ତି କଟକ ନିଶ୍ଚିତକୋଇଲି ଅଞ୍ଚଳର ସର୍ବପ୍ରସନ୍ନ । ସ୍ଥାନୀୟ ଥାନାରେ ଏତଲା ଦେବା ସହ ଭୁବନେଶ୍ୱର ଆସି ସାଇବର ସେଲର ସହାୟତା ନେଇଛନ୍ତି । କିନ୍ତୁ ସାଇବର ଠକେଇଙ୍କ ଏହି ବୁଢ଼ିଆଣି ଜାଲରୁ ଏବେ ୩ ଲକ୍ଷ ୯୫ ହଜାର ଟଙ୍କା ଫେରି ପାଇବା ବହୁତ କଷ୍ଟ ଭଳି ମନେହେଉଛି ।