କନକ ବ୍ୟୁରୋ : ଓଲା ଫ୍ରାଞ୍ଚାଇଜ୍ କିଣିବାକୁ ଯାଇ ରାଜଧାନୀର ଜଣେ ବ୍ୟବସାୟୀ ସାଇବର ଠକ ଜାଲରେ ଫସି ୬ ଲକ୍ଷ ଟଙ୍କା ହରାଇଛନ୍ତି। ଠକାମୀର ଶିକାର ହୋଇଥିବା ବ୍ୟବସାୟୀ ହେଲେ, ତନୟ କୁମାର ସାହୁ। ଅନଲାଇନରେ ଆବେଦନ କରିବା ପରେ ସାଇବର ଠକ ବିଛାଇଥିବା ଜାଲରେ ଛନ୍ଦି ହୋଇ ସେ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।
ସୂଚନାନୁସାରେ, ତନୟଙ୍କର ସହିଦନଗରରେ ରିଅଲ୍ ଇଷ୍ଟେଟ୍ ସଂସ୍ଥା ରହିଛି। ଭୁବନେଶ୍ବର ଲାଗି ଓଲା ସ୍କୁଟର ଫ୍ରାଞ୍ଚାଇଜ୍ ଆଣିବା ପାଇଁ ସେ ଅନଲାଇନରେ ଆବେଦନ କରିଥିଲେ। ପରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଓଲା ଅଧିକାରୀ ବୋଲି ପରିଚୟ ଦେବା ସହ ଏକ ଇମେଲ୍ ଆଇଡି ଦେଇଥିଲେ। କିନ୍ତୁ ସେ ଜଣେ ସାଇବର ଠକ ବୋଲି ତନୟ ବୁଝି ପାରି ନଥିଲେ। ତନୟ ଉକ୍ତ ମେଲ୍ ଯୋଗେ ଆବଶ୍ୟକ କାଗଜପତ୍ର ଦେଇଥିଲେ।
ଅକ୍ଟୋବର ୧୩ ରେ ଉକ୍ତ ମେଲରେ ତନୟଙ୍କୁ ଫ୍ରାଞ୍ଚାଇଜ୍ ଅନୁମତି ମିଳିଥିବା ନିଶ୍ଚିତ କରାଯାଇଥିଲା। ଏଥିପାଇଁ ତୁରନ୍ତ ୪୫ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ଅକ୍ଟୋବର ୧୪ରେ ତନୟ ଏକ ବ୍ୟାଙ୍କ ଶାଖାରୁ ମେଲରେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟକୁ ୪୫ହଜାର ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଦୁଇ ଦିନ ପରେ ଫୋନ୍ କଲ୍ ପାଇ ତନୟ ଓଲା ପ୍ଲାଣ୍ଟ ବୁଲିବାକୁ ବେଙ୍ଗାଲୁରୁ ଯାଇଥିଲେ। ସେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କୁ ୫ଲକ୍ଷ ୫୦ ହଜାର ଟଙ୍କା ଜମା କରିବାକୁ ସେହି ନକଲି ଅଧିକାରୀ କହିଥିଲେ। ଅକ୍ଟୋବର ୨୫ରେ ସେ ଓଲା ଇଲେକ୍ଟ୍ରିୁକ୍ ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍ ବ୍ୟାଙ୍କ ଆକାଉଣ୍ଟକୁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଯୋଗେ ୫ ଲକ୍ଷ ୫୦ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ପରଦିନ ଠକ ପୁଣି ଫୋନ୍ କରି ୩୦ଟି ସ୍କୁଟର ମଞ୍ଜୁର ହୋଇଛି ବୋଲି କହିଥିଲା ଓ ଏଥିପାଇଁ ଆଗୁଆ ୮ ଲକ୍ଷ ୫୫ ହଜାର ଟଙ୍କା ଦେବା ପାଇଁ କହିଥିଲା। ଏତେବେଳକୁ ଯାଇ ତନୟଙ୍କର ସନ୍ଦେହ ହେଲା। ସେ ଓ ତାଙ୍କର ଜଣେ କର୍ମଚାରୀ ବେଙ୍ଗାଲୁରୁସ୍ଥିତ କମ୍ପାନି କାର୍ଯ୍ୟାଳୟକୁ ଯାଇ ବୁଝିବା ପରେ ଠକ ହାବୁଡ଼ରେ ପଡ଼ିଥିବା ଜାଣିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/762737-cyber-crime.jpg)