କନକ ବ୍ୟୁରୋ : ଠକେଇର ନୂଆ ଠିକଣା ପାଟଲିଛି ମାଟ୍ରିମୋନି ସାଇଟ୍ । ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଜୀବନସାଥୀ ଖୋଜୁଥିବା ଯୁବକଙ୍କୁ ଟାର୍ଗେଟ୍ କରୁଛନ୍ତି ଠକ । ଯୁବକଙ୍କ ସହ ଅନଲାଇନ୍ ଯୋଗାଯୋଗ କରିବା ପରେ ଆର୍ଥିକ ଅସୁବିଧା ଦର୍ଶାଇ ଟଙ୍କା ମାଗୁଛି ସାଇବର ଠକ । ଆଉ ବିବାହ କରିବାକୁ ମନ କରୁଥିବା ଯୁବକ ମଧ୍ୟ ପର୍ଯ୍ୟାୟ କ୍ରମେ ଟଙ୍କା ଦେଇଛନ୍ତି । ଯୁବକ ଜଣଙ୍କ ଥରେ ନୁହେଁ ତିନି ଥର ଟଙ୍କା ଦେବା ପରେ ଯେତେବେଳେ ଦେଖା କରିବା ପାଇଁ ଦାବି କରିଛନ୍ତି ସେତେବେଳେ ସତ ସାମ୍ନାକୁ ଆସିଛି । ମାଟ୍ରିମୋନି ସାଇଟ୍ ଖୋଲି ଯୁବକଙ୍କ ସହ ଚାଟିଂ କରୁଥିବା ସଦସ୍ୟ ଜଣଙ୍କ ଯୁବତୀ ନୁହଁନ୍ତି ଜଣେ ଯୁବକ । ନିଜ ସ୍ତ୍ରୀର ଫଟୋ ଲଗାଇ ଯୁବକଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ଠକେଇ କରିଛି ଏହି ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ ଅଭିଯୁକ୍ତ ନୃସିଂହ ବିଶ୍ୱାଳଙ୍କୁ ଗିରଫ କରିଛି । ତାଙ୍କ ଠାରୁ ଲକ୍ଷେ ୬୧ ହଜାର ଟଙ୍କା, ଏଟିଏମ୍ କାର୍ଡ ଓ ସିମ୍ କାର୍ଡ ଜବତ ହୋଇଛି । ଏହି ଠକ ଜଣଙ୍କ କେତେ ଜଣଙ୍କୁ ଠକିଛି ତାହା ଜାଣିବା ପାଇଁ ମାଟ୍ରିମୋନିଆଲ ସାଇଟ୍କୁ ଚିଠି ଲେଖାଯାଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।