ସାଇବର ଠକଙ୍କ ଫୋକସରେ ପ୍ରେମୀ ଯୁଗଳ । ଭାଲେଣ୍ଟାଇନ ଡେ ପୂର୍ବରୁ ଦେଉଛନ୍ତି ଦାମିକା ହୋଟେଲରେ ରହିବାର ଅଫର, ହ୍ୱାଟସଆପରେ ମେସେଜ ପଠାଇ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଛନ୍ତି ଠକ

ପ୍ରେମୀଯୁଗଳଙ୍କ ପାଇଁ ସାଇବର ଫାଶ

130

ପ୍ରେମୀଯୁଗଳଙ୍କ ପାଇଁ ସାଇବର ଫାଶ । ଭାଲେଣ୍ଟାଇନ୍ ଡେ ନାଁରେ ଖାଲି କରିଦେଉଛନ୍ତି ଆକାଉଣ୍ଟ । ଦିନକୁ ଦିନ ଠକେଇ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି ସାଇବର ଠକ । ଆଗକୁ ଭାଲେଣ୍ଟାଇନ୍ ଡେ ଆସୁଥିବାରୁ ଏଥର ସାଇବର ଠକଙ୍କ ଫୋକସରେ ପ୍ରେମୀଯୁଗଳ । ହ୍ୱାଟ୍ସଆପକୁ ଗୋଟିଏ ଲିଙ୍କ ପଠାଉଛନ୍ତି ସେହି ଲିଙ୍କ ଖୋଲି ପ୍ରଶ୍ନର ଉତ୍ତର ଦେଲେ, ଉତ୍ତରଦାତାଙ୍କୁ ମୁମ୍ବାଇ ତାଜ୍ ହୋଟେଲର ଟିକେଟ୍ ଦେବା ସହ ୭ଦିନ ମାଗଣା ରହିପାରିବେ ବୋଲି ଲୋଭ ଦେଖାଉଛନ୍ତି । ଏଭଳି ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ନେବା ପରେ ଟଙ୍କା ଲୁଟିନେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ସାଇବର ଠକ ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ନାଁରେ ଏକ ଲିଙ୍କ୍ ତିଆରି କରିଛନ୍ତି । ଏହି ଲିଙ୍କକୁ ଭାଇରାଲ କରିଛନ୍ତି । ବିଭିନ୍ନ ହ୍ୱାଟ୍ସଆପ ଗ୍ରୁଫରେ ଏହି ଲିଙ୍କ ଘୁରି ବୁଲୁଛି । ତାଜ୍ ହୋଟେଲରେ ମାଗଣାରେ ରହିବା ନାଁରେ ଏହି ଲିଙ୍କ ଆସୁଛି । ଏହାକୁ କ୍ଲିକ୍ କଲେ ଏକ ଫର୍ମରେ ଆଧାର କାର୍ଡ ନମ୍ବର, ପାନକାର୍ଡ ଭଳି ଏକାଧିକ ବ୍ୟକ୍ତିଗତ ତଥ୍ୟ ଦେବାକୁ କୁହାଯାଉଛି । ଏହା ପରେ ଠକ ପଠାଉଥିବା ଆପକୁ ମୋବାଇଲ୍ ଫୋନରେ ଡାଉନଲୋଡ୍ କଲେ ତାଜ୍ ହୋଟେଲରେ ରହିବାର ସୁଯୋଗ ମିଳିବ ବୋଲି ଠକ କହୁଛି । ଏହି ଆପକୁ ଡାଉନଲୋଡ କଲା ପରେ ମୋବାଇଲ୍ ପୋନର ସମସ୍ତ ତଥ୍ୟ ଠକ ପାଖକୁ ଚାଲିଯାଉଛି । ଏହାପରେ ଠକ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛି ।
ତେବେ ଏଭଳି କିଛି ଠକେଇ ହେବା ପରେ ତାଜ୍ ହୋଟେଲ ପକ୍ଷରୁ ଟ୍ୱିଟ୍ କରି ସତର୍କ କରାଯାଇଛି । ତାଜ୍ ହୋଟେଲ ପକ୍ଷରୁ ଏପରି କୌଣସି ଅଫର୍ ନଥିବା ସ୍ପଷ୍ଟ କରାଯାଇଛି । ମୁମ୍ବାଇ ପୋଲିସ ମଧ୍ୟ ଏନେଇ ସତର୍କତା ଜାରି କରିଛି । ଏଭଳି ଲିଙ୍କକୁ ବିସ୍ୱାସ ନକରିବା ପାଇଁ କୁହାଯିବା ସହ ଏହାକୁ ଭାଇରାଲ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।
କିନ୍ତୁ ଏହା ପରେବି ଅଟକିଯାଇନାହାନ୍ତି ସାଇବର ଠକ । ଟାଟା କମ୍ପାନୀ ନାଁରେ ମୋବାଇଲ୍ ପୋନ୍ ଜିତିବାର ଲୋଭନୀୟ ଅଫର ଦେଖାଇ ଲୁଟିବା ଆରମ୍ଭ କରିଦେଇଛନ୍ତି । ଗତ ଦୁଇଦିନ ହେବ ଆଉ ଏକ ଲିଙ୍କ ଭାଇରାଲ ହେବାରେ ଲାଗିଛି ।
ଯଦି ଆପଣଙ୍କ ପାଖକୁ ଏଭଳି କିଛି ଲିଙ୍କ ଆସୁଛି ତାହେଲେ ତୁରନ୍ତ ନିକଟସ୍ଥ ଥାନାରେ ଜଣାନ୍ତୁ । ଆଉ ସାଇବର ଠକଙ୍କ ଜାଲରୁ ବଞ୍ଚନ୍ତୁ ।