କନକ ବ୍ୟୁରୋ : ମାତିଛନ୍ତି ଡିଜିଟାଲ ସୁନ୍ଦରୀ । ଡିଜିଟାଲ ପ୍ଲାଟଫର୍ମରେ ଅଶ୍ଳୀଳ ଚାଟ୍ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଉପାନ୍ତରୁ ଉପକୂଳ ସବୁଆଡେ ଏବେ ଡିଜିଟାଲ ସୁନ୍ଦରୀଙ୍କ ମାୟାଜାଲ । ଫେକ୍ ଆକାଉଣ୍ଟ ଜରିଆରେ ଅଶ୍ଳୀଳ ଭିଡିଓ ଚାଟ୍ କରି ବ୍ଲାକମେଲିଂ କରି ଲୁଟ୍ କରୁଛନ୍ତି ।

Advertisment

କେମିତି କରୁଛନ୍ତି ଠକେଇ ...

ସୋସିଆଲ ମିଡିଆ ପ୍ରୋଫାଇଲରେ ସୁନ୍ଦରୀ ଝିଅଙ୍କ ଫଟୋ ରଖିଥାନ୍ତି ସାଇବର ଠକ । ଏହାପରେ ଝିଅଙ୍କ ଫେସବୁକ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୱେଏଷ୍ଟ ପଠାଇଥାନ୍ତି । ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ଅନ୍ୟାନ୍ୟ ଚାଟିଂ ଆକାଉଣ୍ଟରେ ଥିବା ସୁନ୍ଦରୀ ଝିଅଙ୍କ ଫଟୋ ଦେଖି ଉକ୍ତ ବ୍ୟକ୍ତି ଜଣଙ୍କ ଫ୍ରେଣ୍ଡ ରିକ୍ୱେଏଷ୍ଟ ଆକସେପ୍ଟ କରିଥାନ୍ତି । ପରେ ମେସେଞ୍ଜରରେ ଦୁଇ ଜଣଙ୍କ ଭିତରେ ବନ୍ଧୁତା ହୋଇଯାଏ । ଆଉ ସେହି ବନ୍ଧୁତା କ୍ରମେ ନିବିଡ ସମ୍ପର୍କରେ ପରିଣତ ହୋଇଯାଏ । ଆଉ ଏହି ସମ୍ପର୍କରୁ ଆରମ୍ଭ ହୁଏ ଲୁଟ୍ ।

ଦୁଇ ପକ୍ଷ ମଧ୍ୟରେ ହ୍ୱାଟ୍ସଆପ୍ ନମ୍ବର ନେଣଦେଣ ହୁଏ । କିଛି ଦିନ ପରେ ଆରମ୍ଭ ହୁଏ ଅଶ୍ଳୀଳ ଚାଟିଂ । ଅଡିଓ ଏବଂ ତା ପରେ ଭିଡିଓ ଚାଟିଂ କରିବାକୁ ଡିଜିଟାଲ ସୁନ୍ଦରୀମାନେ ଅନୁରୋଧ କରନ୍ତି । ଏହି ଭିଡିଓ ଚାଟିଂକୁ ଟାର୍ଗେଟ କରି ଲୁଟ ଆରମ୍ଭ କରନ୍ତି ସାଇବର ଠକ । ନିଜ ମୋବାଇଲ ଫୋନରେ ସଫ୍ଟୱେର ଜରିଆରେ ସ୍କ୍ରିନ ରେକର୍ଡିଂ କରନ୍ତି । ପରେ ବ୍ଲାକମେଲିଂ କରିବା ସହ ଟଙ୍କା ମାଗନ୍ତି । ଟଙ୍କା ନ ଦେଲେ ପରିବାର ଲୋକ, ବନ୍ଧୁ ପରିଜନ ଏବଂ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକ ଦେଉଥିବା ନଜିର ରହିଛି ।

publive-image

ସୂଚନାନୁସାରେ, ଗତବର୍ଷ ରାଜଧାନୀରୁ ୮କୋଟି ଟଙ୍କା ଠକେଇ କରି ନେଇଥିଲେ ଅଦୃଶ୍ୟ ଠକ । ସେଥିମଧ୍ୟରୁ ୨୨ପ୍ରତିଶତ ଠକେଇ କରିଥିଲେ ଡିଜିଟାଲ ସୁନ୍ଦରୀ । ବରିଷ୍ଠ ନାଗରିକଙ୍କ ଠାରୁ ଯୁବପୀଢିଙ୍କୁ ଡିଜିଟାଲ ସୁନ୍ଦରୀ ମାୟାଜାଲରେ ଫସାଇଛନ୍ତି ଠକ । ଲୋକଲଜ୍ଜା ଭୟରେ ଥାନାରେ ଅଭିଯୋଗ ବି କରିନାହାନ୍ତି ଲୋକେ । କେବଳ ସେତିକି ନୁହେଁ ଟଙ୍କା ନ ଦେବାରୁ ବ୍ଲାକମେଲିଂର ଶିକାର ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି ଯୁବପିଢୀ । ଚଳିତ ବର୍ଷ ବି ସମାନ ଧରଣର ଠକେଇ ହେଉଥିବା ସାମ୍ନାକୁ ଆସିଛି । ତେବେ ଏପରି କିଛି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଡିଶା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।

ଏଥିରୁ ବର୍ତ୍ତିବେ କିପରି ?

- ଅଜଣା ଲୋକଙ୍କ ଭିଡିଓ କଲ ଉଠାନ୍ତୁ ନାହିଁ ।
- ଲୋକଲଜ୍ଜ୍ୟା ଭୟରେ ଏମାନଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ।
- ଯଦି ଏପରି ପରିସ୍ଥିତିର ସାମ୍ନା କରନ୍ତି ତୁରନ୍ତ ପୋଲିସକୁ ଜଣାନ୍ତୁ ।