CWG T20 : ପୁଣି ମୁହାଁମୁହିଁ ହେବେ ଭାରତ୍-ପାକ୍ କ୍ରିକେଟ୍ ଟିମ୍ । ଜାଣନ୍ତୁ, କେତେ ତାରିଖରେ ଅଛି ମ୍ୟାଚ୍?

358

କନକ ବ୍ୟୁରୋ: ପୁଣି ଏକ ବଡ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ପୁଣି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତାବର୍ଷ ହେବାକୁ ଥିବା କମନୱେଲଥ୍ ଗେମସରେ ଏଥର କ୍ରିକେଟ୍ ସ୍ଥାନ ପାଇଛି । ଯେଉଁଥିରେ ପୁଣିଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ୍-ପାକ୍ । ତେବେ ସମ୍ପୂର୍ଣ୍ଣ ଖବର ହେଉଛି, ୧୯୯୮ ମସିହା ପରେ ପ୍ରଥମ ଥର ପାଇଁ କମନୱେଲଥ୍ ଗେମସରେ କ୍ରିକେଟ୍ ସ୍ଥାନ ପାଇଛି । ଯେଉଁଥିରେ ଭାରତୀୟ ମହିଳା ଦଳ ସମେତ ୮ଟି ଦଳ ଭାଗ ନେବେ । ତେବେ ଆଜି ଏହାର ଖେଳସୂଚୀ ଘୋଷଣା କରାଯାଇଛି । ଯାହାକି ୨୦୨୧ ମସିହା ଜୁଲାଇ ୨୯ ତାରିଖରେ ଆରମ୍ଭ ହେବ ।

କମନୱେଲଥ୍ ଗେମସରେ ଭାଗ ନେବାକୁ ଥିବା ୮ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଯେଉଁଥିରେ ଭାରତ ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାରବୋଡସ୍ ସହ ସ୍ଥାନ ପାଇଛି । ସେହିପରି ଗ୍ରୁପ୍ ବିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଗୋଟିଏ କ୍ୱାଲିଫାୟାର ଦଳ ସ୍ଥାନ ପାଇବ । ତେବେ କମନୱେଲଥ୍ ଗେମସରେ କିଏ ସ୍ୱର୍ଣ୍ଣ ପଦକ ବିଜେତା ହେବ ତାକୁ ନେଇ ଚର୍ଚ୍ଚା ପ୍ରକାଶ ପାଇଛି ।

ଭାରତର ଅଭିଯାନ ଏହି ଗେମସରେ ଅଷ୍ଟ୍ରେଲିଆଠାରୁ ଆରମ୍ଭ ହେବ । ତେବେ ଦ୍ୱିତୀୟ ମ୍ୟାଚର ଭାରତୀୟ ମହିଳା ଦଳ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ଆସନ୍ତା ଜୁଲାଇ ୩୧ ତାରିଖରେ ଖେଳାଯିବ । ଅନ୍ୟପଟେ ଅଗଷ୍ଟ ୩ରେ ଦଳ ବାରବଡୋସ ସହ ମ୍ୟାଚ୍ ଖେଳିବ । ତେବେ କମନୱେଲଥ୍ ଗେମସରେ ୮ ଦିନରେ ମୋଟ ୧୬ଟି ମୁକାବିଲା ହେବ ବୋଲି ଖେଳସୂଚୀରେ ସୂଚନା ଦିଆଯାଇଛି ।