ଏଜବାଷ୍ଟନରେ ଆଜି ବାଂଲାଦେଶ-ଭାରତ ଲଢେଇ । ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ ଭାରତ

ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ବାଂଲାଦେଶ ଟକ୍କର । ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ ମ୍ୟାଚ୍ ।

141

କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟରେ ଆଜି ଭାରତ-ବାଂଲାଦେଶ ଟକ୍କର । ଏଜବାଷ୍ଟନରେ ଅପରାହ୍ନ ୩ଟାରେ ଖେଳାଯିବ ମ୍ୟାଚ୍ । ସେପଟେ ଟିମ୍ ଇଣ୍ଡିଆରେ ଆଜି ସ୍ଥାନ ପାଇପାରନ୍ତି ରବୀନ୍ଦ୍ର ଜାଡେଜା । ଭାରତ ଅପେକ୍ଷା ବାଂଲାଦେଶ ପାଇଁ ଏହି ମୁକାବିଲା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ହାରିଲେ ବାଂଲାଦେଶ ସେମିଫାଇନାଲରେ ପହଂଚିବା ଆଶା ମଉଳିଯିବ । ତେଣୁ ବାଂଲାଦେଶ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତି ସୃଷ୍ଟି କରିଛି । ଅନ୍ୟପକ୍ଷରେ ଭାରତ ଏହି ମ୍ୟାଚ ଜିତି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହିଁବ । ଏଜବାଷ୍ଟନ ଗ୍ରାଉଣ୍ଡର ପରିସ୍ଥିତିକୁ ଦେଖି ଭାରତ କେଦାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ବାଦ ଦେଇପାରେ । ସେମାନଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ମିଳିପାରେ ସୁଯୋଗ । ଭାରତ ଏ ଯାଏଁ ୭ଟି ମ୍ୟାଚରୁ ୧୧ପଏଂଟ ହାସଲ କରିଛି । ଏବଂ ଏହି ମ୍ୟାଚ ଜିତିଲେ ସେମିଫାଇନାଲରେ ଖେଳିବା ସୁନିଶ୍ଚିତ ହୋଇଯିବ ।

twitter.com/ICC

ଇଂଲଣ୍ଡ ଠାରୁ ୩୧ ରନରେ ହାରିବା ପରେ ଟିମ ଇଣ୍ଡିଆକୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିଶେଷ କରି ଶେଷ ୧୦ଓଭରରେ କେଦାର ଯାଦବ ଏବଂ ଫିନିସର ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି । କାରଣ ଶେଷ ୫ଓଭରରେ ମାତ୍ର ୩୯ରନ ସଂଗ୍ରହ କରିଥିଲା ଏହି ଯୋଡି । ଉଭୟ ଖେଳାଳି କୌଣସି ବଡ ସଟ ଖେଳିନଥିଲେ । ଏପରି ସ୍ଥିତିରେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି । ବିଶ୍ୱକପରେ ଏଯାଏ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଛି । ଏଥିରୁ ଭାରତ ୨ଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟ ଲାଭ କରିଛନ୍ତି । ୨୦୦୭ରେ ବାଂଲାଦେଶ ଜିତିଥିବା ବେଳେ ୨୦୧୧ ଏବଂ ୨୦୧୫ରେ ଭାରତ ଜିତିଥିଲା ।