ପଶ୍ଚିମବଙ୍ଗ ପାଇଁ ନୂଆ ରାଜ୍ୟପାଳ ହେଲେ ନିଯୁକ୍ତ, ରାଜ୍ୟପାଳ ଭାବେ ସିବି ଆନନ୍ଦ ବୋଷ ନେଲେ ଶପଥ

136

କନକ ବ୍ୟୁରୋ : ସିବି ଆନନ୍ଦ ବୋଷ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୋଲକତା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରକାଶ ଶ୍ରୀବାସ୍ତ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଧାନସଭା ଅଧ୍ୟକ୍ଷ ବିମାନ ବାନାର୍ଜୀ ଓ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

୧୯୭୭ ବ୍ୟାଚ୍ କେରଳ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ସିବି ବୋଷଙ୍କୁ ନଭେମ୍ବର ୧୭ ତାରିଖରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । କହିରଖୁ କି ସିବି ଆନନ୍ଦ ବୋଷ ୨୦୧୧ ରେ ଅବସର ନେବା ପୂର୍ବରୁ ପଶ୍ଚିମବଙ୍ଗର ରାଷ୍ଟ୍ରୀୟ ସଂଗ୍ରହାଳୟର ପ୍ରଶାସକ ଭାବେ କାମ କରିଥିଲେ । ସେ ମଙ୍ଗଳବାର ଦିନ ସକାଳେ କୋଲକତାରେ ପହଂଚିଥିଲେ । ବିମାନବନ୍ଦରରେ ତାଙ୍କୁ ସହର ବିକାଶମନ୍ତ୍ରୀ ଫିରହାଦ ହକିମ୍ ଓ ଉଦ୍ୟୋଗମନ୍ତ୍ରୀ ଶଶି ପଞ୍ଜା ସ୍ୱାଗତ କରିବାକୁ ପହଂଚିଥିଲେ ।

ପ୍ରଶାସନିକ ସେବା ଭାବେ ସିବି ଆନନ୍ଦ ବୋଷ ତାଙ୍କ କ୍ୟାରିୟରରେ ସଂଯୁକ୍ତ ସଚିବ, ପରମାଣୁ ଶକ୍ତି ବିଭାଗର ଅତିରିକ୍ତ ସଚିବ, ଏଗ୍ରିକଲଚର କୋ-ଅପରେଟିଭ୍ ମାର୍କେଟିଂ ଫେଡେରେଶନ ଅଫ୍ ଇଣ୍ଡିଆର ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଏହାସହ ସେ କେରଳ ପଦ୍ମନାଭ ମନ୍ଦିର ସମ୍ପତ୍ତି ଉପରେ ୨୦୧୧ ରେ ଗଠିତ ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟ ସମିତିର ପ୍ରମୁଖ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।