ଅମଳ ପରେ ବିକ୍ରି ହୋଇପାରୁନି କପା: ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡା ବ୍ଲକର ଚାଷୀ; ମଣ୍ଡିର ବ୍ୟବସ୍ଥା ନଥିବାର ଦଲାଲଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ

85

କନକ ବ୍ୟୁରୋ: ପାଣିପାଗ ସୁହାଇଛି, କପା ଭଲ ହୋଇଛି । କିନ୍ତୁ କପା ବିକ୍ରି କରିବାକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀ । ବ୍ଲକରେ ଆବଶ୍ୟକୀୟ ମଣ୍ଡିର ବ୍ୟବସ୍ଥା ନଥିବାରୁ କପା ଚାଷୀ, ଦଲାଲମାନଙ୍କ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଚଳିତ ବର୍ଷ ସଠିକ ପରିମାଣରେ ବର୍ଷ ହୋଇଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଚୁର ପରିମାଣରେ କପା ଫସଲ ହୋଇଛି । ଧଳା ସୁନା ଭାବେ ପରିଚିତ କପା ଗଛରେ ଫୁଟି ଗଛ ସବୁ ଧଳା ରଙ୍ଗରେ ରଙ୍ଗେଇ ହୋଇଛି । ବର୍ତ୍ତମାନ କପା ଅମଳ ହୋଇସାରିଲାଣି । ଉକ୍ତ ବ୍ଲକର ଚାଷୀ ଲଗାତାର ବିଗତ ବର୍ଷରେ ଧାନ ଫସଲରେ ମରୁଡିର ସମ୍ମୁଖୀନ ହେଉଥିବାରୁ କପା ଚାଷ ପ୍ରତି ଆକୃଷ୍ଟ ହୋଇ ବହୁଳ ପରିମାଣର କପା ଚାଷ କରୁଥିଲେ ମଧ୍ୟ କପାର ଉଚିତ ମୁଲ୍ୟ ମିଳୁନଥିବା ଚାଷୀ ଅଭିଯୋଗ କରିଛି । ।

ଚାଷୀ ଅମଳ କରିଛି ଧଳାସୁନା
ହେଲେ ବିକିବା ପାଇଁ ନାହିଁ ମଣ୍ଡି
ମାଲାମାଲ ଦଲାଲ

ଚଳିତ ବର୍ଷ ଭଲ ବର୍ଷା ଫଳରେ କଳାହାଣ୍ଡିର ଗୋଲାମୁଣ୍ଡା ଅଂଚଳରେ ଭଲ କପା ଚାଷ ହୋଇଛି । ଦୁଇ ପଇସା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛି । କିନ୍ତୁ କପା କିଣିବା ପାଇଁ ଆବଶ୍ୟକୀୟ ମଣ୍ଡି ବ୍ୟବସ୍ଥା ନାହିଁ । ବ୍ଲକରେ ଉଛୁଲା ଠାରେ କେବଳ ଗୋଟିଏ ମଣ୍ଡି ଥିବା ବେଳେ ଏଠାକୁ ଦୂରଦୂରାନ୍ତରୁ ଚାଷୀ ଆସି କପା ବିକିବା ସମ୍ଭବ ହେଉ ନାହିଁ ।

ଘର ଠାରୁ ୭୦ କିଲୋମିଟର ଦୂରରେ ମଣ୍ଡି ଥିବାରୁ ଚାଷୀଙ୍କ ଘରେ ପଡି ରହି ନଷ୍ଟ ହେଉଛି କପା । ତେଣୁ ବାଧ୍ୟ ହୋଇ କପାର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ଟଙ୍କା ଠାରୁ କମ୍ ଦରରେ ଦଲାଲ ହାତରେ ଧଳା ସୁନାକୁ ଟେକି ଦେଉଛନ୍ତି ଚାଷୀ । ସରକାରୀ ଦର ୫୮୨୫ ଟଙ୍କା ଥିବା ବେଳେ ୪୦୦୦ରୁ କମ୍ ଦରରେ ବିକୁଛନ୍ତି ଚାଷୀ । ଧାନ ଚାଷରେ ଲଗାତର ମରୁଡି ସମସ୍ୟା ପଡୁଥିବା ଚାଷୀ କପା ଚାଷ କରି ଲାଭବାନ ହେବାର ଆଶା ରଖିଥିଲେ । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଆଶା ଧୂଳିସାତ ହୋଇଛି ।