ନା ଅଛି ଗୋତ୍ର ନା ଜାତକ ତଥାପି ବେଦୀରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଅନାଥ ଅନ୍ନପୂର୍ଣ୍ଣାଙ୍କ ହାତ ଧରିଲେ ଜଗନ୍ନାଥ

କଟକ ରାଣୀହାଟ ସ୍ଥିତ ଯଶୋଦା ସଦନରେ ହୋଇଥିବା ଏମିତି ଏକ ନିଆରା ବାହାଘରକୁ ନେଇ ଚର୍ଚ୍ଚା

2,856

କନକ ବ୍ୟୁରୋ: ଅନାଥ ଝିଅକୁ ସାଥି କଲେ ଜଗନ୍ନାଥ । କନ୍ୟାପିତା ନଥାଇ ବି ହୋଇଛି ବାହାଘର । ଅନାଥ ଆଶ୍ରମରେ ବଢିଥିବା ଜଣେ ଝିଅକୁ ବାହା ହୋଇଛନ୍ତି ଯୁବକ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ନିଆରା ବାହାଘର ହୋଇଛି କଟକ ରାଣୀହାଟ ସ୍ଥିତ ଯଶୋଦା ସଦନରେ ।

ଗୋତ୍ର ନାହିଁ କି ଜାତକ ବି ପଡିନି । ତଥାପି ହୋଇଛି ବାହାଘର । ଅଗ୍ନିକୁ ସାକ୍ଷୀ ରଖି ଏମିତି ଏକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବରକନ୍ୟା । ପିଲାବେଳୁ ଅନାଥ ଆଶ୍ରମରେ ବଢିଥିବା ଅନ୍ନପୂର୍ଣ୍ଣାଙ୍କୁ ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗାଁର ଜଗନ୍ନାଥ ପଣ୍ଡା । ନିଜ ଜନ୍ମକଲା ଝିଅ ନହୋଇ ମଧ୍ୟ ଏହି ବାହାଘରରେ କନ୍ୟାଦାନ କରି ବାହାଘର କରିଛନ୍ତି ନିଜେ ଆଶ୍ରମର ସମ୍ପାଦକ । ନିରାଡମ୍ବର ନୁହେଁ ବରଂ ବହୁ ଆଡମ୍ବର ସହକାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ହୋଇଛି ବାହାଘର । ଏଥିରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହ ଆଶ୍ରମର ସବୁ ପିଲା ଏବଂ ସଦସ୍ୟ ସାମିଲ ହୋଇଥିଲେ । ଆଶ୍ରମକୁ ଦାନ ଆକାରରେ ଆସୁଥିବା ଟଙ୍କାରେ ସାଜସଜ୍ଜାଠାରୁ ଆରମ୍ଭ କରି ଭୋଜି ଏବଂ ଯୌତୁକରେ ସବୁ ଆସବାବପତ୍ର ମଧ୍ୟ ଦିଆହୋଇଛି । ଜଣେ ଅନାଥ ଝିଅର ବାପା ହୋଇ କନ୍ୟାଦାନ କରିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ଆଶ୍ରମର ସମ୍ପାଦକ ଇନ୍ଦ୍ରମଣି ମଲ୍ଲିକ ।

ଅନ୍ନପୂର୍ଣ୍ଣା ୪ ବର୍ଷ ହୋଇଥିବା ବେଳେ ୧୯୯୯ ମସିହା ମହାବାତ୍ୟାରେ ବେଘର ହୋଇଯାଇଥିଲେ । ଏହି ସମୟରେ ଜଣେ ଡାକ୍ତର ତାଙ୍କୁ ଆଣି ଏହି ଆଶ୍ରମରେ ଛାଡି ଦେଇଥିଲେ । ସେହି ଦିନଠୁ ଆଶ୍ରମରେ ଥିବା ୪୮ ଜଣ ପିଲାଙ୍କ ସହିତ ସେ ଛୋଟରୁ ବଡ ହୋଇଛନ୍ତି । ଏବେ ଅନ୍ନପୂର୍ଣ୍ଣାଙ୍କୁ ୨୧ ବର୍ଷ ବୟସରେ ଜଣେ ମନ୍ଦିର ପୂଜକଙ୍କ ପ୍ରସ୍ତାବରେ ବାହାଘର କରାଇଛନ୍ତି ଆଶ୍ରମର ସମ୍ପାଦକ । ଜଗନ୍ନାଥ ପାରାଦ୍ୱୀପ ପରିବହନ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରଥିବା ବେଳେ ଅନ୍ନପୂର୍ଣ୍ଣା ଯୁକ୍ତତିନିରେ ପାଠ ପଢୁଛନ୍ତି । ତେବେ ଜଣେ ଅନାଥ ଝିଅକୁ ବାହା ହୋଇ ଜଗନ୍ନାଥ ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଅନ୍ନପୂର୍ଣ୍ଣା ମଧ୍ୟ ଆଶ୍ରମର ସମସ୍ତ ସଦସ୍ୟଙ୍କୁ ନିଜ ବାପାମାଆ ସଦୃଶ୍ୟ ସମ୍ବୋଧନ କରି ଆଶ୍ରମକୁ ଛାଡିଯିବାର ଦୁଃଖ ବଖାଣିଛନ୍ତି ।

ଯେଉଁଠି ଜଣେ ବାପା ଝିଅକୁ ବୋଝ ଭାବି ବାହା ଦେବାକୁ ଅସମର୍ଥ ହେଉଥିବା ବେଳେ ଆଶ୍ରମର ଜଣେ ଅନାଥ ଝିଅକୁ ବାହା ଦେଇ ସମାଜକୁ ନୂତନ ଦିଗଦର୍ଶନ ଦେଇଛି ଯଶୋଦା ସଦନ ।