ଦ୍ୱିତୀୟ ବିଶ୍ୱଯୁଦ୍ଧର ଲୋମଟାଙ୍କୁରା ସ୍ମୃତି ସାଉଁଟୁଛନ୍ତି ରାଧାକାନ୍ତ ରଥ । ୬ବର୍ଷ ଜାପାନରେ ରହି ଫେରିବା ପରେ ଲେଖିଛନ୍ତି ‘ ଜାପାନ ଜାତକ’

857

କନକ ବ୍ୟୁରୋ: ବୟସ ଶହେ ଛୁଇଁଲାଣି । କିନ୍ତୁ ଏବେ ବି ସେ ବେଶ୍ ତାଜା, ଯୁବସୁଲଭ । ବିନା ସାହାରାରେ ଜିଉଁଛନ୍ତି ସ୍ୱାଭାବିକ ଜୀବନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଭୀଷିକାର ପ୍ରତ୍ୟକ୍ଷ ଅନୁଭୂତି ରଖିଥିବା ଏହି ବ୍ୟକ୍ତି ସାଉଁଟୁଛନ୍ତି ସେଦିନର ସ୍ମୃତି । ଯଦିଓ ପ୍ରଥମ ବିଶ୍ୱଯୁଦ୍ଧର ଅନୁଭୂତି ତାଙ୍କର ନଥିଲା, କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଭୟାନକ, ଲୋମଟାଙ୍କୁରା ଦୃଶ୍ୟ ତାଙ୍କୁ ଏବେ ଆନ୍ଦୋଳିତ କରୁଛି । ବିଶ୍ୱଯୁଦ୍ଧ କୌଣସି ପରିସ୍ଥିତିରେ ବି ଗ୍ରହଣୀୟ ନୁହେଁ ବୋଲି ମତ ରଖନ୍ତି ଶତାୟୁ ରାଧାକାନ୍ତ ରଥ । କଟକ ତେଲେଙ୍ଗା ପେଣ୍ଠ ନିକଟସ୍ଥ ସଇନ୍ଧା ଅଞ୍ଚଳର ବାସିନ୍ଦା ରାଧାକାନ୍ତ ହେଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ଜାପାନକୁ ନିକଟରୁ ନଦେଖିଥିବା ଅନ୍ୟତମ ଓଡିଆ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଶ୍ରୀ ରଥ ହେଲଥ୍ ଇନସ୍ପେକଟର ଭାବେ କାର୍ଯ୍ୟ କରୁଥିଲେ । ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୨୫ବର୍ଷ । ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାର ମାତ୍ର କିଛି ମାସ ପରେ ୬ଜଣ ଭାରତୀୟଙ୍କୁ ଜାପାନ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ସେ ଥିଲେ ଜଣେ । ଶ୍ରୀ ରଥ କହିବାନୁଯାୟୀ, ତାଙ୍କୁ ଭାରତରୁ ଜାପାନ ଏକ ଜାହାଜରେ ନିଆ ଯାଇଥିଲା । ୩୦ଦିନ ପରେ ସେ ସେଠାରେ ପହଞ୍ଚିଥିଲେ । ତାଙ୍କୁ ଜାପାନର ହିରୋସୀମାରୁ ୨୩କିମି ଦୂର ଏକ ଜୁରେ ନାମକ ସହରର ଛୋଟ କ୍ୟାମ୍ପରେ ରଖା ଯାଇଥିଲା । ସେଠାରେ ତାଙ୍କୁ ଭାରତୀୟ ଭାବେ ଚଳିବା ପାଇଁ ସମସ୍ତ ସୁବିଧା ଯୋଗଇ ଦିଆଯାଇଥିଲା । ଭାରତୀୟ ଖାଦ୍ୟ, ପୋଷାକରେ କୌଣସି କଟକଣା ନଥିଲା । ଘର ସହିତ ଚିଠି ଦ୍ୱାରା ଯୋଗାଯୋଗ ହୋଇ ପାରୁଥିଲା । ଜାପାନ ଉପରେ ଆମେରିକା ୨ଟି ପରମାଣୁ ବୋମା ପକାଇ ହିରୋସୀମା ଓ ନାଗାସାକି ସହରରୁ ଧ୍ୱଂସ କରି ଦେଇଥିଲା । ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣ ଯାଇଥିଲା । ଅନେକ ବର୍ଷ ଯାଏ ସେଠାର ହଜାର ହଜାର ଲୋକ ପଙ୍ଗୁ, ବିକଳାଙ୍ଗ ହୋଇ ରହିଲେ ।

ସେହି ଅଞ୍ଚଳକୁ ସରକାର ନିଷିଦ୍ଧାଞ୍ଚଳ ଘୋଷଣା କଲେ । ଯୁଦ୍ଧ ହେବାର ୨ବର୍ଷ ପରେ ବି ଜାପାନରେ ଆତଙ୍କର ଛାୟା ମାଡି ରହିଥିଲା । କେଉଁଠି ଅସାଧାରଣ ଗତିବିଧି ଦେଖିଲେ, ଗୁଳି ବର୍ଷୁ ଥିଲେ । ଦିନେ ସନ୍ଧ୍ୟା ସମୟରେ ଜଣେ ଜାପାନୀ ବ୍ୟକ୍ତି ନିଜ ଜାମାକୁ କାଖରେ ଗୁଞ୍ଜି ତାଙ୍କ କ୍ୟାମ୍ପ ନିକଟରେ ଯାଉଥିବା ବେଳେ କିଛି ନ ବୁଝି ତାଙ୍କ ଗତି ସନ୍ଦେହଜନକମାନେ ଗୁଳି କରି ଜବାନମାନେ ଗୁଳି ମାଡ କଲେ ଏବଂ ସେ ସେଠାରେ ଟଳି ପଡିଲେ । ପୂର୍ବରୁ ଯେଉଁ ଜାପାନୀମାନେ କଥା କଥାରେ ଗୀତ ଗାଇ ଖୁସି ହେଉଥିଲେ , ସେ ପରିବେଶ ପରିସ୍ଥିତି ହଠାତ୍ ବଦଳି ଯାଇଥିଲା । ସ୍ୱାସ୍ଥ୍ୟ ନିରୀକ୍ଷକ ଭାବେ ଶ୍ରୀ ରଥ ଜାପାନରେ ୬ବର୍ଷ ରହି କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।

୮୦ବର୍ଷ ବୟସରେ ଚାକିରିରୁ ଅବସର ନେଇଥିବା ଶ୍ରୀ ରଥ ଏବେ ସରକାରୀ ପେନସନ ଭୋଗୀ ମଧ୍ୟ । ୬ବର୍ଷ ଜାପାନରେ ରହି ଫେରିବା ପରେ ସେ ‘ ଜାପାନ ଜାତକ’ ନାମରେ ଏକ ବହି ଲେଖିଥିଲେ । ଯେଉଁଥିରେ ଜାପାନ ବିଶ୍ୱଯୁଦ୍ଧ ସରିବାର ଠିକ୍ ପରେ ଜାପାନର ସ୍ଥିତି କିପରି ଥିଲା, ରାଧାକାନ୍ତ ରଥ ହେଉଛନ୍ତି ତାହାର ଅନ୍ୟତମ ସାକ୍ଷୀ । ଯୁଦ୍ଧ କେବେ ନ ଆସୁ ବୋଲି ସବୁବେଳେ କହୁଥିବା ଶ୍ରୀ ରଥ ଜାପାନବାସୀଙ୍କ କର୍ତ୍ତବ୍ୟ ନିଷ୍ଠତାକୁ ବି ବେଶ୍ ପ୍ରଶଂସା କରନ୍ତି ।