ମିସେସ ଫେମିନା ଟାଇଟଲ ହାସଲ କରିବା ଲକ୍ଷ୍ୟରେ କଟକୀ ଝିଅ : ଟପ୍ ୨୦ରେ ନିଜ ସ୍ଥାନ ପକ୍କା କଲେ ଇପ୍ସିତା ପ୍ରିୟଦର୍ଶନୀ

368

କନକ ବ୍ୟୁରୋ : ଇଚ୍ଛାଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ପରିବାରର ସହଯୋଗ ମିଳିଲେ ଲକ୍ଷ୍ୟସ୍ଥଳରେ ପହଂଚିବା ସହଜ ହୋଇଯାଏ । ଯାହା ଘଟିଛି କଟକର ଇପ୍ସିତା ପ୍ରିୟଦର୍ଶନୀଙ୍କ କ୍ଷେତ୍ରରେ । ପରିବାର ଓ ସ୍ୱାମୀଙ୍କ ସହଯୋଗରେ ଫେମିନା ମିସେସ୍ ଟାଇଟଲ ୨୦୨୧ ହାତେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଇପ୍ସିତା । ସେ ଏବେ ଟପ୍ ୨୦ରେ ଥିବା ବେଳେ ତାଙ୍କୁ ଟପ୍ ୧୦ରେ ପହଂଚାଇବା ପାଇଁ ଓଡିଶାବାସୀଙ୍କୁ ଭୋଟ ମାଗିଛନ୍ତି ଇପ୍ସିତା ।

ମିସେସ ଫେମିନା ୨୦୨୧ର ଟପ ୨୦ରେ କଟକ ମଙ୍ଗଳାବାଗର ଇପ୍ସିତା ପ୍ରିୟଦର୍ଶନୀ । ଜଣେ ସଫ୍ଟଓୟାର ଇଂଜିନିୟର ଭାବେ କାର୍ଯ୍ୟ କରୁଥିବା ଇପ୍ସିତାଙ୍କର ମଡେଲିଂରେ ରୁଚି ରହିଛି । ୟୁପିର ସୁପର ମଡେଲ ଚମ୍ପିଆନ୍ସିପିରୁ ସଫଳତା ସାଉଁଟୁଥିବା ଇପ୍ସିତା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅନେକ ମଡେଲିଂ ପ୍ରତିଯୋଗୀତାରେ ଭାଗ ନେଇ ଟାଇଟେଲ ହାତେଇଛନ୍ତି । ଏବେ ସେ ଫେମିନା ମିସେସ ଇଣ୍ଡିଆର ଟପ ୨୦ରେ ନିଜର ସ୍ଥାନ ପକ୍କା କରିଛନ୍ତି ।

ଇପ୍ସିତା ଟପ୍ ୨୦ରେ ପହଁଚିବା ପରେ ଘରେ ଖୁସି କହିଲେ ନସରେ । ବାପା- ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟରତ ଥିବା ବେଳେ ମାଆ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନର୍ସ । ଇପ୍ସିତାଙ୍କ ସ୍ୱାମୀ ମଧ୍ୟ ଜଣେ ଇଂଜିନିୟର । ତେବେ ଝିଅ ହେଉ କି ମହିଳା, ପରିବାର ସେମାନଙ୍କୁ ସହଯୋଗ କଲେ ସେମାନେ ନିଶ୍ଚିତ ସଫଳତାକୁ ଛୁଇଁ ପାରିବେ ବୋଲି କୁହନ୍ତି ଇପ୍ସିତାଙ୍କ ପରିବାର ଲୋକେ। ।  ଟପ୍ ୨୦ରେ ପହଂଚିଥିବା ଓଡିଶାର ଝିଅ ତଥା ଓଡିଆ ବୋହୂ ଇପ୍ସିତା ଟପ୍ ୧୦ରେ ପହଂଚିବା ପାଇଁ ଓଡିଶାବାସୀଙ୍କ ଭୋଟ ଭିକ୍ଷା କରିଛନ୍ତି ।