ଅଚିହ୍ନା ଶବର ସାଥୀ ଅଭିମନ୍ୟୁ...ପେସାରେ ଜଣେ ବହି ବନ୍ଧାଳି ହେଲେ ନିଶା ଅସହାୟଙ୍କ ସେବା କରିବା;ଏ ଯାଏଁ କରିସାରିଲେଣି ୧୨ଶହ ଶବସତ୍କାର

Advertisment
ଅଚିହ୍ନା ଶବର ସାଥୀ ଅଭିମନ୍ୟୁ...ପେସାରେ ଜଣେ ବହି ବନ୍ଧାଳି ହେଲେ ନିଶା ଅସହାୟଙ୍କ ସେବା କରିବା;ଏ ଯାଏଁ କରିସାରିଲେଣି ୧୨ଶହ ଶବସତ୍କାର

କନକ ବ୍ୟୁରୋ: କଟକ ନେତାଜୀନଗରର ଅଭିମନ୍ୟୁ ଦାସ(୪୯)। ଏଯାବତ୍ ଅଭିମନ୍ୟୁ ୧୨ଶହରୁ ଅଧିକ ଶବ ସତ୍କାର କରିସାରିଲେଣି। ଅସହାୟଙ୍କ ପାଇଁ ଦେବଦୂତ ଓ ଶବର ସାଥୀ ପାଲଟିଛନ୍ତି ଅଭିମନ୍ୟୁ । କଟକ ବଡ଼ ମେଡିକାଲ ଅଥବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଯଦି କୌଣସି ଅସହାୟର ମୃତ୍ୟୁ ଘଟେ, ଶବ ସତ୍କାର ପାଇଁ ଯଦି କାହା ପାଖରେ ଟଙ୍କା ନଥାଏ ଅଥବା ରୋଗୀଟିଏ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଥିବା ଖବର ପହଞ୍ଚିବା ମାତ୍ରେ ଅଭିମନ୍ୟୁ ତୁରନ୍ତ ପହଞ୍ଚିଯାଆନ୍ତି ତାଙ୍କ ପାଖରେ। ଶବଶତ୍କାର କେମିତି ହେବ.. ଶବ କେମିତି ଶ୍ମଶାନକୁ ନିଆଯିବ.. ଇତ୍ୟାଦି ସବୁ କଥା ସେ ବୁଝି ଥାଆନ୍ତି। ନିଜ ପକେଟରୁ ହେଉ ବା କାହା ସହଯୋଗରେ ହେଉ; ତୁରନ୍ତ ଅସହାୟର ସମସ୍ୟା ଦୂର କରି ଥାଆନ୍ତି ସେ। କେବଳ ସେତିକି ନୁହେଁ, ଚିକିତ୍ସା ପାଉ ନଥିବା ରୋଗୀଙ୍କର କିପରି ଚିକିତ୍ସା ବ୍ୟବସ୍ଥା କରାଯିବ ଅଥବା ପରିବାର ଛାଡି ପଳାଉଥିବା କର୍କଟ ରୋଗୀଙ୍କୁ ରାସ୍ତାକଡରୁ କୋଳେଇ ନିଅନ୍ତି ଅଭିମନ୍ୟୁ ।

କଟକର ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀନଗରର ଅଭିମନ୍ୟୁଙ୍କ ପରିବାର କହିଲେ ପତ୍ନୀ ନିରୁପମା ଓ ପୁଅ। ପେସାରେ ସେ ଜଣେ ବହି ବନ୍ଧାଳି ଓ ବିକ୍ରେତା। ହେଲେ, ନିଶା ଅସହାୟଙ୍କ ସେବା କରିବା। ୨୦୦୫ରୁ ସେ ଏଭଳି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି। ସମାଜସେବାର ଅନନ୍ୟ ଉଦାହରଣ ପାଲଟିଥିବା ଅଭିଙ୍କୁ ନିଜ ସମ୍ପର୍କରେ ପଚାରିଲେ କହନ୍ତି; ‘ଯେତେ ଦିନ ପର୍ଯ୍ୟନ୍ତ ମୋର ହାତଗୋଡ଼ ଚାଲୁଥିବ, ସେତେଦିନ ପର୍ଯ୍ୟନ୍ତ ଅସହାୟଙ୍କ ସେବା କରିବି। ଏଥିରୁ ମୋତେ ଆତ୍ମସନ୍ତୋଷ ମିଳୁଛି।’ ଅଭିମନ୍ୟୁଙ୍କ ସେବାରେ ପ୍ରଭାବିତ ହୋଇ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ବି ଦେଇଛନ୍ତି। ହେଲେ, ଅସହାୟଙ୍କ ସେବା କରିବାରେ ଯାହା ମିଳେ ତା’ ଆଗରେ ସମ୍ବର୍ଦ୍ଧନା ଓ ମାନପତ୍ର ବିଶେଷ ଗୁରୁତ୍ବ ରଖେ ନାହିଁ ବୋଲି କହିଛନ୍ତି ଅଭିମନ୍ୟୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe