କଟକ ଜିଲ୍ଲା ନିଆଳି ଅଂଚଳରେ ପରିବା ଚାଷୀଙ୍କ ମୁଣ୍ଡରେ ଚଡକ : ଉତ୍ପାଦନ ପରେ ଅଭାବି ବିକ୍ରିର ସମ୍ମୁଖୀନ ହୋଇଛନ୍ତି ଚାଷୀ

ଜମିରେ ପଡି ନଷ୍ଟ ହେଲାଣି ଟ୍ରକ ଟ୍ରକ ଟମାଟୋ ଓ କଖାରୁ

85

କନକ ବ୍ୟୁରୋ : ନିଆଳି ଅଂଚଳରେ ବିଲରେ ଷଢୁଛି ଟ୍ରକ ଟ୍ରକ ପରିବା । କଖାରୁରୁ ଆରମ୍ଭ କରି ଟମାଟୋ ଏବେ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କେଉଁଠି ଘରେ ପଡି ରହି ଟ୍ରକ ଟ୍ରକ କଖାରୁ ନଷ୍ଟ ହେବାକୁ ବସିଲାଣି, ତ କେଉଁଠି ବିଲରେ ଟ୍ରକ ଟ୍ରକ ଟମାଟୋ ପଚିଷଢି ଗଲାଣି । ମାଟି ସହିତ ମାଟି ହୋଇ ଚାଷୀ ଏହି ଫସଲ ଉପୁଜାଇଥିଲା ।

ଆଶା ଥିଲା କରୋନା କାଳରେ ଭଲ ଦି ପଇସା ରୋଜଗାର ହେବ । ଏବେ ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହୋଇଛି । ହାଟ ବଜାରକୁ ଗଲେ ଚାଷୀ ପରିବା ବିକ୍ରି ହେଉନି । ଫଳରେ ଅଦର ଦରରେ ଏହାକୁ ଢାଳି ଦେଇ ଆସୁଛି । ଟମାଟୋ କିଲୋ ପିଛା ୨ରୁ ୩ ଟଙ୍କାରେ ବିକ୍ରି ହେଉଛି । କଖାରୁ ୩ରୁ ୫ ଟଙ୍କାରେ ଚାଷୀ ଠାରୁ କିଣୁଛନ୍ତି ବେପାରୀ ।

ଆଉ ଏହାରି ଭିତରେ ଦର ଖସିଥିବାରୁ ଗାଁକୁ ଚାଷୀ ପାଖରୁ ଆଉ ବେପାରୀ ବି ଆସୁନାହାନ୍ତି । ଏହାରି ଭିତରେ ଆଖି ଆଗରେ ଫସଲ ନଷ୍ଟ ହୋଇ ଯାଉଥିବା ଦେଖି ଚାଷୀ ଆଖିରେ ଲୁହ । ନିଆଳି ବ୍ଲକର ଷଡାଂଶ ପଂଚାୟତର ପ୍ରାୟ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଟମାଟୋ ଓ କଖାରୁ ନଷ୍ଟ ହେବା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ।