ଜରି ପାଲ ତଳୁ ଜୀବନର ଭିକ୍ଷା ମାଗୁଛନ୍ତି ଶଙ୍କର । ଦିନେ ଟ୍ରଲି ଟାଣି ପେଟ ପୋଷୁଥିଲେ, ଆଜି କର୍କଟ ପାଇଁ ରୋଗ ବିଛଣାରେ… ନା ଅଛି ରାସନ ନା ମିଳୁଛି ଭତ୍ତା ?

156

କନକ ବ୍ୟୁରୋ: ପାଲ ତଳେ ୨୦ ବର୍ଷ… ପ୍ଲାଷ୍ଟିକ୍ ଗୋଟାଇ ବିକ୍ରି କଲେ ଚଳିବେ ତିନିପ୍ରାଣୀ…କଥାରେ ଅଛି ଦଇବ ଯେତେବେଳେ ଦାଉ ସାଧେ… ତାକୁ କିଏ ବା ରୋକି ପାରିବ । ଆଉ ତାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ମହାନଦୀବିହାର ନିକଟସ୍ଥ ଗାନ୍ଧୀପଲ୍ଲୀରେ । ଜରି ପାଲରେ ତିଆରି ହୋଇଥିବା ଏହି ଝୁମ୍ପୁଡି ଘର ଭିତରୁ ବାହାରକୁ ଚାହିଁ ରହିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶଙ୍କର ଚମ୍ପିଆନ୍ । ଦିନ ଥିଲା ଟ୍ରିଲି ଚଲାଇ ଭଲ ଦୁଇ ପଇସା ରୋଜଗାର କରୁଥିଲେ ଶଙ୍କର, ଛୋଟ ପରିବାରଟି ବେଶ୍ ହସଖୁସିରେ ଚାଲିଥିଲା । କିନ୍ତୁ ହଠାତ ସବୁକିଛି ବିଗିଡିଗଲା । ହଠାତ୍ ଅସୁସ୍ଥ ହୋଇପଡିଲେ ଶଙ୍କର । ଦୀର୍ଘଦିନ ଧରି ଘରେ ପଡିରହିବା ପରେ କଷ୍ଟ ଅଧିକ ହେବାରୁ, ବଡ ମେଡିକାଲ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ଚେକଅପ୍ ପରେ ଡାକ୍ତର ପାଇଲ୍ସ ହୋଇଥିବା କହିଲେ । ଏହା ସହିତ ଡାକ୍ତର କହିଥିଲେ କି, ପାଇଲ୍ସ ଅଧିକ ବଢିଯାଇଛି ଏହାକୁ ଅପରେସନ୍ ବି କରି ହେବନି । ଏହା ପରେ ରୋଗ ଧିରେ ଧିରେ ବଢି କର୍କଟରେ ପରିଣ ହେଲା । ଆଉ ଏବେ ବିଛଣାରେ କର୍କଟ ସହ ଲଢେଇ କରୁଛନ୍ତି ଶଙ୍କର ।

ସକାଳ ହେଲେ ଘର ଚଳେଇବା ପାଇଁ ଶଙ୍କରଙ୍କ ସ୍ତ୍ରୀ ସାବିତ୍ରୀ ଓ ମା’ ଜାନକୀ ପ୍ଲାଷ୍ଟିକ୍ ଗୋଡାଇବାକୁ ବାହାରି ଯାଆନ୍ତି । ଦିନ ତମାମ ପ୍ଲାଷ୍ଟିକ ଗୋଟାଇଲେ ମାତ୍ର ୫୦ରୁ ୬୦ ଟଙ୍କା ରୋଜଗାର ହୁଏ, ଆଉ କୋଉଦିନ ତ’ ୨୦ଟଙ୍କା ରୋଜଗାର କରିବା କଷ୍ଟ ହୋଇପଡେ । ମାତ୍ର ଏତିକି ଟଙ୍କାରେ ତିନିପ୍ରାଣୀ ଖାଇବେ କଣ ଆଉ ଶଙ୍କରଙ୍କ ପାଇଁ ଔଷଧ ଆଣିବେ କେଉଁଠୁ । ସରକାରଙ୍କ ପକ୍ଷରୁବି କୌଣସି ସହାୟତା ନାହିଁ । ରାସନ କାର୍ଡ କି ଆଧାର କାର୍ଡ ନଥିବାରୁ ଚାଉଳ କି କରୋସିନ୍ ମିଳୁନି । ବୁଢି ମାଆକୁ ଭତ୍ତାବି ମିଳୁନି । ତେଣୁ ନାନା ଅସୁବିଧା ଭୋଗିବାକୁ ପଡୁଛି  ।

ସେପଟେ ତିନିପ୍ରାଣୀ ରହୁଥିବା ଏହି କୁଡିଆ ଘର କଥାତ ନକହିଲେ ଭଲ । ଦୀର୍ଘ ଦିନ ତଳେ ପାଲରେ ଘର ତିଆରି ହୋଇଥିଲା । ଏବେ ଏହି ପାଲ କଣା ହୋଇଗଲାଣି । ଦିନରେ ସୂର୍ଯ୍ୟ ଦେଖାଗଲେ ରାତିରେ ଦିଶୁଛି ତାରା । ଆଉ ବର୍ଷା ହେଲେ ତ କଥା ସରିଲା । ଘର ଭିତରେ ପାଣି ପସିବା ସହ ଚୁଲିରେ ବି ପସିଯାଏ ପାଣି । ଆଉ ସେଦିନ ଉପାସ ରହିବାକୁ ପଡେ । ତେବେ ଏହି ପରିବାର ଉପରେ ଯଦି ସରକାରଙ୍କ ଦୃଷ୍ଟି ପଡନ୍ତା । ଆଉ ପରିବାରକୁ ରାସନକାର୍ଡ, ବୁଢି ମାଆକୁ ଭତ୍ତା ମିଳିପାରନ୍ତା ତାହେଲେ  ତିନିପ୍ରାଣୀ ଆଗକୁ ଭଲରେ ଦିନ କାଟିପାରନ୍ତେ ।