ସୂଷ୍ମ କାରୁକାର୍ଯ୍ୟକୁ ମିଳିଲା ସ୍ୱୀକୃତି: ଗୌରବ ଆଣିଲା କଟକର ଐତିହ୍ୟ, ତାରକସି କାମକୁ ମିଳିଲା ଜିଆଇ ଟ୍ୟାଗ୍

66

କନକ ବ୍ୟୁରୋ: ହଜାରେ ବର୍ଷର ଐତିହ୍ୟ ସମ୍ପନ୍ନ ସହର କଟକ । ଏହାର ଅନ୍ୟତମ ପରିଚୟ ହେଉଛି ରୁପା ତାରକସି କାମ । ତାରକସି କାମକୁ ନେଇ କଟକ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି । ତେବେ ଏହି ତାରକାସୀ କାମକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ଏବେ କାରିଗର ଖୁସି ଅଛନ୍ତି । ଅନ୍ୟପଟେ କଟକରେ ଏକ ତାରକସି ହବ୍ କରିବାକୁ ଦୀର୍ଘଦିନରୁ ଘୋଷଣା ହୋଇଥିଲେ ବି ତାହା କେବେ ହେବ, ସେନେଇ ପ୍ରଶ୍ନ ଉଠିଛି ।

କଟକର ପରିଚୟ ତାରକସି କାମକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଖୁସିର ଲହରି ଖେଳିଯାଇଛି । ବର୍ଷ ବର୍ଷ ଧରି ଏହି ସୂଷ୍ମ କାରୁକାର୍ଯ୍ୟ କରୁଥିବା କାରିଗରଙ୍କୁ ଉତ୍ସାହିତ କରି ଦେଇଛି ଏହି ସ୍ୱୀକୃତି । କଟକ ସହର ଏହି ତାରକସୀ କାମ ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଛି। ତାରକସୀ କାମ ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରେ ବେଶ ଖ୍ୟାତି ଲାଭ କରିଛନ୍ତି ପଙ୍କଜ ସାହୁଙ୍କ ଭଳ ଅନେକ କାରିଗର । ଦିଲ୍ଲୀ, ମୁମ୍ବାଇ ଠାରୁ ଆରମ୍ଭ କରି ଫରିଦାବାଦରେ ଆୟୋଜିତ ସୁରଜକୁଣ୍ଡ ଆନ୍ତର୍ଜାତୀୟ ମେଳାରେ ମଧ୍ୟ ନିଜ କାରିଗରି କୌଶଳ ପ୍ରଦର୍ଶନ କରିଛନ୍ତି ପଙ୍କଜ । ଏ ନେଇ ବହୁ ସମ୍ମାନ ସହ ପ୍ରଶଂସା ମଧ୍ୟ ଲାଭ କରିଛନ୍ତି।

ପଙ୍କଜଙ୍କ ଏହି କାର୍ୟ୍ୟରେ ଅନୁପ୍ରାଣିତ ହୋଇ ତାଙ୍କ ୧୭ ବର୍ଷର ପୁଅ ମଧ୍ୟ ତାରକସୀ କାମ କରୁଛନ୍ତି। କଲେଜରେ ପାଠ ପଢିବା ସହ ଏହି କାର୍ୟ୍ୟ ଶିଖି ବିଭିନ୍ନ ତାରକସୀ କାମ କରୁଛନ୍ତି। ପାଠପଢିବା ସହ ବାପାଙ୍କ ସହଯୋଗରେ ଆଗକୁ ମଧ୍ୟ ଭଲ କାର୍ୟ୍ୟ କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି।

ସେପଟେ ତାରକସୀ କାର୍ୟ୍ୟକୁ ଜିଆଇ ଟ୍ୟାଗ୍ ମାନ୍ୟତାକୁ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଖୁସି ପ୍ରକାଶ କରିବା ସହ ସାରା ଭାରତରେ କଟକର ତାରକସୀ କାମ ପ୍ରସିଦ୍ଧ ବୋଲି କହିଛନ୍ତି। ତେଣୁ ଏହି କଳାକୁ ଆଗକୁ ନେବାକୁ କଟକରେ ଏକ ତାରକସୀ ହବ୍ କରିବାକୁ ଦୀର୍ଘ ଦିନରୁ ଦାବି କରାଯାଉଥିଲା। ସରକାର ତାରକସୀ ହବ୍ କରିବାକୁ କେବଳ ଘୋଷଣା କରି ଆଜି ପର୍ୟ୍ୟନ୍ତ କୌଣସି ଉଦ୍ୟମ କରିନାହାନ୍ତି। କଟକରେ ଏହି ପ୍ରସିଦ୍ଧ କୌଳିକ ବ୍ରୁତ୍ତିକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପ୍ରୋତ୍ସାହନ ନିହାତି ଜରୁରୀ ବୋଲି କହିଛନ୍ତି ବିଧାୟକ।

ସାରା ଦେଶରେ କଟକର ରୂପା ତାରକସୀ କାରୁକାର୍ୟ୍ୟର ରହିଛି ସ୍ବତନ୍ତ୍ର ପରିଚୟ। ତେବେ ଜିଆଇ ଟ୍ୟାଗ୍ ମାନ୍ୟତା ପରେ ହଜିବାକୁ ବସିଥିବା କଟକର ଏହି କାରିଗରୀ ଆହୁରି ପ୍ରସିଦ୍ଧି ଲାଭ କରିବ ବୋଲି ଆଶା କରାଯାଉଛି।