କଟକ ବଡ ଡାକ୍ତରଖାନା ହେବ ଇକମୋ ଚିକିତ୍ସାର ନୂତନ ହବ୍ । ଲାଗିବ ୯ଟି ଇକମୋ ମେସିନ । ଡାକ୍ତରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

116

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ପ୍ରକୋପରେ ଅଣନିଶ୍ୱାସୀ ହୋଇପଡିଥିଲା ଓଡିଶା । ଆଉ ରାଜ୍ୟରେ ଶଯ୍ୟା ଆଇସିୟୁ, ଭେଂଟିଲେଟର ଅଭାବ ଭଳି ସମସ୍ୟା ଠାରୁ ବଳି ଯାଇଥିଲା ଇକମୋ ଚିକିତ୍ସାର ଅଭାବ । ଓଡିଶାରେ ଇକମୋ ଚିକିତ୍ସା ସମ୍ଭବପର ହେଉନଥିବାରୁ ଅନେକ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଉଥିଲା । ଗୁରୁତର ରୋଗୀ ଯେଉଁମାନଙ୍କ ଜୀବନ ସୁତାଖିଅରେ ଝୁଲୁଥିଲା, ସେମାନଙ୍କୁ ହାଇଦ୍ରାବାଦ , କୋଲକାତା ଭଳି ସହରକୁ ଏୟାରଲିଫ୍ଟ କରାଯାଉଥିଲା । କିନ୍ତୁ ଏବେ ସେ ସଂକଟ ଦୂର ହେବାର ସମ୍ଭାବନା ଦେଖା ଦେଇଛି । କଟକ ବଡ ମେଡିକାଲ ହେବ ଇକମୋ ହବ୍ । ଯେଉଁଠି ୯ଟି ଇକମୋ ମେସିନ ଆଣିବାକୁ ଯାଉଛନ୍ତି ସରକାର ।

ଗତ ସୋମବାର ଗୋଟିଏ ଇକମୋ ମେସିନ ଏସସିବି ମେଡିକାଲରେ ପହଂଚି ସାରିଛି । ଆଉ ବାକି ମେସିନ ଜୁଲାଇ ଶେଷ ସୁଦ୍ଧା ଆସିଯିବ । ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଇକମୋ ମେସିନ ପରିଚାଳନା ପାଇଁ ଏସସିବିର ଡାକ୍ତରଙ୍କୁ ତାଲିମ ଦିଆଯାଉଛି ।

ଇକମୋ ଚିକିତ୍ସା ପାଇଁ ଏୟାରଲିଫ୍ଟ କରିବାକୁ ପ୍ରାୟ ୩୫ ଲକ୍ଷ ଟଙ୍କା ଦରକାର । ଏଭଳି ବ୍ୟୟବହୁଳ ବ୍ୟାପାର ଭିତରେ ଏହି ଖବର କିଛିଟା ଆଶ୍ୱସ୍ତି ଆଣିବ । ଏବେ ଏହି ଚିକିତ୍ସା ଭୁବନେଶ୍ୱର ଏମ୍ସ ସହ କିଛି ଘରୋଇ ହସ୍ପିଟାଲରେ ଚାଲିଛି । କିନ୍ତୁ ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସସିବିରେ ଇକମୋ ଚିକିତ୍ସା ଆରମ୍ଭ ହେବାକୁ ଯାଉଛି ।