କଟକ ବଡ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ: ଅନ୍ଧାରରେ ରୋଗୀ ସେବା

46

କନକ ବ୍ୟୁରୋ: ବଡ ମେଡିକାଲରେ ବଡ ବିଭ୍ରାଟ । ବିଶ୍ୱସ୍ତରୀୟ ହେବାକୁ ଥିବା କଟକ ବଡ ମେଡିକାଲରେ ବିଜୁଳ ଗାଏବ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏସସିବିର ଏକାଧିକ ବିଭାଗରେ ଶୁକ୍ରବାର ଘଂଟା ଘଂଟା ଧରି ବିଜୁଳି ନଥିଲା । ଶନିବାର ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ନିଦାନ ବିଭାଗରେ । ଘଂଟାଏ କି ଦୁଇ ଘଂଟା ନୁହେଁ ପ୍ରାୟ ୬ ଘଂଟା ।

ଘଂଟାଏ ନୁହେଁ କି ଦୁଇ ଘଂଟା ନୁହେଁ ଏସସିବିର ଏକାଧିକ ବିଭାଗରେ ଶୁକ୍ରବାର ଲାଗି ରହିଥିଲା ଏମିତି ସ୍ଥିତି । ଶୁକ୍ରବାର ପ୍ରାୟ ୧୦ଘଂଟା ବିଜୁଳି କଟିଯାଇଥିଲା । ଆଉ ଅନ୍ଧାରରେ ରହିଥିଲା, ମେଡିସିନ୍ ବିଭାଗର କିଛି ଅଂଶ ସମେତ ଚର୍ମ ରୋଗ ବିଭାଗ, ଆନାଟୋମି ୱାର୍ଡ ଓ ଶବ ସଂରକ୍ଷଣ ଗୃହ । ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା । ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହୋଇଛନ୍ତି । ଏପରିକି ମେଡିସିନ୍ ବିଭାଗରେ ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ୍ ଦିଆଯାଉଥିବାର ଦୃଶ୍ୟ ସାମନାକୁ ଆସିଛି ।

ବଡ ମେଡିକାଲର ଏଭଳି ବିଦ୍ୟୁତ୍ ବିଭ୍ରାଟକୁ ନେଇ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ଭିତରେ ଅସନ୍ତୋଷ ବଢ଼ୁଥିବାବେଳେ, ଡିଜି ଲଗାଇ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା । କିନ୍ତୁ ଶନିବାର ପୁଣି ସମାନ ଅବସ୍ଥା ଦେଖିବାକୁ ମିଳିଛି, ଅତି ଗୁରୁତ୍ୱପୂର୍ଣ୍ଣ ନିଦାନ ବିଭାଗରେ । ସକାଳୁ ପ୍ରାୟ ୬ଘଂଟା ପର୍ଯ୍ୟନ୍ତ ନିଦାନ ବିଭାଗର ବିଜୁଳି କଟି ଯାଇଥିଲା । ଯାହାଫଳରେ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ ହୋଇଯାଇଥିଲା । ଅତି ଜରୁରୀ ପରୀକ୍ଷା ହୋଇନପାରିବାରୁ, ରୋଗୀ ଓ ରୋଗୀ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ତେବେ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ହେବା କଥାକୁ ସ୍ୱୀକାର କରିଛନ୍ତି ଏସସିବି ଅଧ୍ୟକ୍ଷ । ବିଦ୍ୟୁତ ସମସ୍ୟାର ଯାଂଚ ପାଇଁ ଏସସିବି ମେଡିକାଲରେ ଟେକ୍ନିକାଲ ୟୁନିଟ ନଥିବା କଥା ପ୍ରକାଶ କରିଛନ୍ତି । କହିଛନ୍ତି, କଂଟ୍ରାକ୍ଟିରେ ଚାଲିଛି ବିଦ୍ୟୁତ୍ ପରିଚାଳନା । ତାଙ୍କ ଉପରେ ମେଡିକାଲ କର୍ତ୍ତୁପକ୍ଷଙ୍କ କୌଣସି ନିୟନ୍ତ୍ରଣ ନାହିଁ । ତେବେ ନିୟମିତ ମେଂଟେନାନ୍ସ ହେଲେ ଏପରି ବିଭ୍ରାଟ ହୁଅନ୍ତା ନାହିଁ । ।

ରାଜ୍ୟର ସବୁଠାରୁ ବଡ ମେଡିକାଲ କଟକ ଏସସିବି, ଯାହାକୁ ଏମ୍ସ ପ୍ଲସରେ ରୂପାନ୍ତରଣ କରିବାର ସ୍ୱପ୍ନ ଦେଖୁଛନ୍ତି ରାଜ୍ୟ ସରକାର, ସେହି ହସ୍ପିଟାଲରୁ ଆସଥିବା ଦୃଶ୍ୟ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।