ବିଧାୟକଙ୍କ ବଡପଣ । ଦୋଳିରେ ଝୁଲାଇଲେ, ଆଳୁଦମ୍ ଖୁଆଇଲେ । ଦିବ୍ୟାଙ୍ଗ ପିଲାଙ୍କ ବାଲିଯାତ୍ରା ‘ସାରଥୀ’ ସାଜିଲେ ଚନ୍ଦ୍ରସାରଥୀ ।

845

କନକ ବ୍ୟୁରୋ : ବାଲିଯାତ୍ରା । ସନ୍ଧ୍ୟା ହେଲେ ଜମୁଛି ପ୍ରବଳ ଗହଳି । ବରଷକେ ଥରେ ବାଲିଯାତ୍ରା ଭଳି ଯାତ୍ରା କିଏ ବା ନବୁଲିବାକୁ ଚାହେଁ । ଆଉ ସମସ୍ତଙ୍କ ପରି ବାଲିଯାତ୍ରା ବୁଲିବାକୁ ଏମାନଙ୍କ ମନରେ ମଧ୍ୟ ରହିଥିଲା ପ୍ରବଳ ଇଚ୍ଛା । ଯାହାକୁ ପୂରଣ କରିଛନ୍ତି ବିଧାୟକ । ଦିବ୍ୟାଙ୍ଗ ପିଲାଙ୍କୁ ବାଲିଯାତ୍ରା ବୁଲାଇଛନ୍ତି ବିଧାୟକ ଚନ୍ଦ୍ରସାରଥୀ ବେହେରା ।

ଧାଡି ଧାଡି ହୋଇ ବାଲିଯାତ୍ରା ବୁଲିବାକୁ ବାହାରିଥିଲେ କଟକ ଉତ୍କଳ ବାଳାଶ୍ରମର ଏହି ଦିବ୍ୟାଙ୍ଗ ପିଲାମାନେ । ଆଉ ଏମାନଙ୍କ ପାଇଁ ବୁଲାବୁଲିର ପୁରା ବନ୍ଦୋବସ୍ତ କରିଥିଲେ ନିଜେ ବିଧାୟକ । ବସରେ ବସି ବାଲିଯାତ୍ରା ପଡିଆରେ ପହଂଚିବା ପରେ ପିଲାମାନେ ଦୋଳି ଖେଳି ଆଳୁଦମ୍ ଖାଇ ଢେର ସାରା ମଜା କରିଛନ୍ତି । ଆଉ ବିଧାୟକ ସେମାନଙ୍କ ଇଚ୍ଛା ପୂରଣ କରିଥିବା କହିଛନ୍ତି ଆଶ୍ରମର ଜଣେ ଦିବ୍ୟାଙ୍ଗ ଅନ୍ତେବାସୀ ।

ଅନ୍ୟପଟେ ପିଲାଙ୍କ ବାଲିଯାତ୍ରା ବୁଲାକୁ ନେଇ ବିଧାୟକ ମଧ୍ୟ ବେଶ୍ ଖୁସି ଥିଲେ । ଆଉ ନିଜର ପିଲାବେଳ କଥା ମନେ ପକାଇବା ସହ ଦିବ୍ୟାଙ୍ଗ ପିଲାମାନଙ୍କୁ ବାଲିଯାତ୍ରା ବୁଲାଇ ଆତ୍ମସନ୍ତୋଷ ମିଳିଥିବା ସେ କହିଛନ୍ତି ।

ବାଲିଯାତ୍ରା ଆସିଲେ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ବଢିଯାଏ । ହେଲେ ନିଜେ ବୁଲିବା ସହ କିଛି ଭିନ୍ନ ଚିନ୍ତା କରି ମହତ ଉଦ୍ଦେଶ୍ୟ ରଖି ଏହି ଦିବ୍ୟାଙ୍ଗ ପିଲାମାନଙ୍କୁ ବାଲିଯାତ୍ରା ବୁଲାଇବା ସତରେ ବେଶ୍ ପ୍ରଶଂସନୀୟ ।