ଓଡ଼ିଶା ପାଇଁ ଭଲ ଖବର : ୩ ଜିଲ୍ଲା ହେଲା କରୋନା ମୁକ୍ତ, ଓଡ଼ିଶାରେ ଏକାଥରକେ ସୁସ୍ଥ ହୋଇ ଫେରିଲେ ୧୦ ଆକ୍ରାନ୍ତ ।

5,718

କନକ ବ୍ୟୁରୋ : ଓଡ଼ିଶା ପାଇଁ ଭଲ ଖବର । ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢାଉଥିବା ବେଳେ ଆଜି ଏକାଥରକେ ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ମୋଟ ୪୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଉ ଏହାସହ ଏବେ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି । କରୋନା ବିରୋଧରେ ଏହି ଯୁଦ୍ଧ ଚାଲିଥିବା ବେଳେ ଏହି ଖବର ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତ କରିଛି । କାରଣ ୧୦ ଜଣ ସୁସ୍ଥ ହୋଇ ଫେରିବା ସହ ରାଜ୍ୟର ୩ ଜିଲ୍ଲା କରୋନା ମୁକ୍ତ ହୋଇଛି ।

ସୁସ୍ଥ ହୋଇ ଫେରିଥିବା ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର, କଟକ, ପୁରୀ ଜିଲ୍ଲାର ଜଣେ ଲେଖାଏଁ ରହିଛନ୍ତି । ଆଉ ଏହାସହ କଟକ, ପୁରୀ ଓ ଯାଜପୁର ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି । ସେହିଭଳି ଭଦ୍ରକ ଜିଲ୍ଲାରୁ ୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ମଧ୍ୟ ଜଣେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଭୁବନେଶ୍ୱରରେ ଏବେ ପର୍ଯ୍ୟନ୍ତ ମୋଟ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣ ପୂର୍ବରୁ ସୁସ୍ଥ ହୋଇ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଆଉ ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଏହାସହ ଏବେ ଭୁବନେଶ୍ୱରର ୩୦ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଢେଙ୍କାନାଳ ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ଓ କଳାହାଣ୍ଡିରେ ୨ ଜଣ କରୋନା ଆକ୍ରାନ୍ତ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିଥିବାରୁ ଡାକ୍ତର ଓ ସ୍ୱାସ୍ଥକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।