କନକ ବ୍ୟୁରୋ : ଲୋକଙ୍କ ପାଇଁ ଚିନ୍ତାରକାରଣ ପାଲଟିଛି ନକଲି ସାମଗ୍ରୀ । ଆଉ ଏହି ନକଲି ସାମଗ୍ରୀର ପେଣ୍ଠ ପାଲଟିଛି କଟକ ସହର । ନକଲି ଘିଅ, ନକଲି ମସଲା, ସସ୍ ଓ ସିମେଂଟ ପରେ ବିପୁଳ ପରିମାଣରେ ନକଲି ପନିର ଜବତ ହେବା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କଟକ ଓଏମ୍ପିରୁ କଲିକତା ଚାଲାଣ ହେଉଥିବା ଏହି ନକଲି ପନିର ଜବତ ହେବା ପରେ ଲୋକଙ୍କ ମଧ୍ୟରେ ଭାଲେଣୀ ପଡ଼ିଛି ।
ବଡ଼ କଥା ହେଉଛି, ଖାଦ୍ୟ ସାମଗ୍ରୀରେ ମିଶ୍ରଣ ହେଉଛି-ଡିଟରଜେଂଟ, ୟୁରିୟା ସାର, ସଲଫ୍ୟୁରିକ୍ ଏସିଡ୍, ଗ୍ଲେସରିନ୍, ମଇଦା ଓ ଅବ୍ୟବହୃତ କ୍ଷୀର । ଏହି ନକଲି ପନିର ସ୍ୱାସ୍ଥ୍ୟ ପାଇଁ ହାନିକାରଣ ହୋଇଥିବା ବେଳେ ମାରାତ୍ମକ ରୋଗରେ ପଡ଼ିବାର ଯଥେଷ୍ଟ ସଂଭାବନା ରହିଛି । ନିୟମିତ ଏଭଳି ପନିର ଖାଇଲେ, ହାର୍ଟ୍ ଏବଂ କିଡନୀ ସମେତ ପେଡ଼ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞ କହୁଛନ୍ତି । ବାରମ୍ବାର ଏଭଳି ଗୋଟିଏ ପରେ ଗୋଟିଏ ନକଲି ସାମଗ୍ରୀ ଠାବ ହେଉଥିଲେ ସୁଦ୍ଧା କେମିତି ଏହି କଳାବଜାରୀ ବ୍ୟବସାୟୀମାନଙ୍କ ଉପରେ ଲଗାମ୍ ଲାଗି ପାରୁନାହିଁ, ତାକୁ ନେଇ ବଡ଼ ପ୍ରଶ୍ନ ଚିହ୍ନ ଛିଡ଼ା ହୋଇଛି ।