କନକ ବ୍ୟୁରୋ: ଭୁତାଣୁର ଭୟ ପାଇଁ ଘରେ ରହିଛି ପୂରା ଓଡିଶା । ମହାମାରୀ ମୁକାବିଲା ପାଇଁ ସବୁ ବନ୍ଦ, ସବୁଠି ତାଲା । ଲକଡାଉନରେ କେହି ଘରୁ ବାହାରୁ ନଥିବାରୁ ସବୁଠି ଖାଁ ଖାଁ, ଚାରିଆଡେ ଅସମ୍ଭବ ନିରବତା । ରାସ୍ତାରେ ଗାଡି ଗଡୁ ନଥିବାରୁ ଗଳିକନ୍ଦି, ଛକଛକରେ ଶୂନଶାନର ୧୪୪ ଧାରା । ଆଉ ୟାରି ଭିତରେ ନବଜାତର କୁଆଁ କୁଆଁ କାନ୍ଦରେ ଫାଟି ପଡୁଥିଲା ସହରର ନିରବତା । ଭାଙ୍ଗିଯାଉଥିଲା କରୋନା ପାଇଁ ମଣିଷ ତିଆରିଥିବା ନିସ୍ତବ୍ଦତାର ଅଦେଖା କାଚଘର । ରାସ୍ତା କଡରେ ପଡିଥିବା ନବଜାତ ଶିଶୁ ଜୀବନ ପାଇଁ ଭୟରେ ଜଡସଡ ଏ ଦୁନିଆକୁ କାନ୍ଦି କାନ୍ଦି ନେହୁରା ହେଉଥିଲା...
ଖରା ବଢୁଥିଲା, ରାସ୍ତା ଫୁଟୁଥିଲା । ଏପ୍ରିଲ ଖରାର ତତଲା ତାତିରେ ସିଝି ଯାଉଥିଲା ଏବେଏବେ ଜନ୍ମ ନେଇଥିବା କଅଁଳା ଶିଶୁର କୋମଳ ଶରୀର । ଯେଉଁ ଦେହରେ ମାଆର ମମତାର ସ୍ପର୍ଶ ଲାଗିବା କଥା ସେହି ଦେହରେ ଲାଗିଛି ମାଟିର ଧୂଳି, ଆକାଶରୁ ପଡୁଛି ଉଦୁଉଦିଆ ଖରାବେଳର ଡହଡହ ନିଆଁ । ଭୁତାଣୁ ଭୟ ପାଇଁ ସବୁ ଘରେ ଥିବାରୁ ପାଟି ଖୋଲି ଚିଲେଇ ପାରୁନଥିବା ଏ ସଜ କଢି ଧିରେ ଧିରେ ମଉଳି ଯାଉଛି । ଆଉ ଜୀବନ ପାଇଁ ମଣିଷ ନୁହେଁ କୁଆଁ କୁଆଁ ହୋଇ ଭଗବାନଙ୍କୁ ଡାକୁଛି ।
Today forenoon IIC @MarkatPs & team rescued a new-born baby girl abandoned by the uncaring unknown at CDA Ringroad Sector 8 @DCP_CUTTACK. She is stable at Sishu Bhavan.
Let's join us to do the best to protect the vulnerable, a bit for a compassionate society. @SarangiSudhansupic.twitter.com/Dbm5iRJXNm— COMMISSIONERATE POLICE (@cpbbsrctc) April 13, 2020
ତେବେ ରାସ୍ତା କଡରେ ରାହା ଧରି କାନ୍ଦୁଥିବା ଏ କୁନି ଝିଅକୁ ଉଦ୍ଧାର ପାଇଁ ଦେବଦୂତ ହୋଇ ପହଞ୍ଚିଥିଲା ପୋଲିସ । ମାଟି ଉପରେ ପଡିଥିବା ଅଜଣା ଶିଶୁକୁ ମାଆ ଭଳି ନିଜ ଛାତି ପାଖକୁ କୋଳେଇ ନେଇଥିଲେ ଜଣେ ମହିଳା ପୋଲିସ । ଆଉ ଉଦ୍ଧାର ହୋଇଥିବା ଶିଶୁକନ୍ୟାକୁ ସଙ୍ଗେସଙ୍ଗେ ଶିଶୁଭବନରେ ଭର୍ତ୍ତି କରିଥିଲେ । ଲକଡାଉନ ବେଳେ ସିଡିଏ ଅଞ୍ଚଳରୁ ଆସିଥିବା ଏ ଶିଶୁକନ୍ୟାର କାହାଣୀ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି ।
ସେପଟେ ଶିଶୁକନ୍ୟାକୁ ଉଦ୍ଧାର କରିଥିବା ମର୍କତନଗର ପୋଲିସ ଟିମକୁ ପ୍ରଶଂସା କରିଛି କମିଶନରେଟ ପୋଲିସ । ଅସାଧାରଣ ସମୟରେ ଏଭଳି ଏକ ଅଭାବନୀୟ ଘଟଣାରେ ନିଜର ମଣିଷପଣିଆ ଦେଖାଇଥିବାରୁ ପୂରା ପୋଲିସ ଟିମକୁ ସାରା ଓଡିଶା ସାଲ୍ୟୁଟ୍ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/CTC-CHILD_00133.png)