ଅମାନିଆ ଗାଡି ଚାଳକ ହୁସିଆର! ପ୍ରଥମଥର ଧରାପଡିଲେ ୨ ହଜାର…ଦ୍ୱିତୀୟ ଥର ଜବତ ହେଲେ ୧୦ ହଜାର ଟଙ୍କା ତଣ୍ଡ: ଜରିମାନା ଦେବା ପରେ ବି ଥାନାରେ ଗାଡି ରହିବ ଗୋଟିଏ ଦିନ

921

କନକ ବ୍ୟୁରୋ: ଲକଡାଉନ କଟକଣା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ପ୍ରଥମଥର ଧରାପଡିଲେ ବାଇକ ଚାଳକ ୨ ହଜାର ଓ ଚାରି ଚକିଳା ଗାଡି ଚାଳକ ୫ ହଜାର ଟଙ୍କା ଜରିମାନା ଦେବେ । ଜରିମାନା ଦେବା ପରେ ବି ଥାନାରେ ଗୋଟିଏ ଦିନ ଗାଡି ରହିବ । ପରଦିନ ଗାଡି ମାଲିକ ଜରିମାନା ଚଙ୍କା ଜମା କରି ଗାଡି ନେଇପାରିବେ । କିନ୍ତୁ ଦ୍ୱିତୀୟ ଥର ବାଇକ କିମ୍ବା କାର ଚାଲକ ଧରାପଡିଲେ ସେମାନଙ୍କ ନିକଟରୁ ପୁଲିସ୍ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରିବ । ଏଭଳି କଠୋର ନିଷ୍ପତି ନେଇଛି କଟକ କମିସନରେଟ୍ ପୁଲିସ୍ ।

ସୂଚନା ଅନୁସାରେ, ୨୨ ତାରିଖଠାରୁ ଲକଡାଉନ ଜାରି ସତ୍ୱେ ଅନେକ ଲୋକ ସହର ଭିତରେ ମନଇଚ୍ଛା ଗାଡି ଚଳାଇ ବୁଲୁଛନ୍ତି । କମିସନରେଟ ପୁଲିସ୍ କେବଲ ମାମଲା ରୁଜୁ କରୁଥିବାରୁ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁନଥିଲା । ଏବେ ପୁଲିସ ଗାଡି ଜବତ କରି ଜରିମାନା ଆଦାୟ ଏବଂ ଥାନାରେ ଗୋଟିଏ ଦିନ ଗାଡି ରଖିବା ଭଳି କଠୋର ପଦକ୍ଷେପ ନେବା ଆରମ୍ଭ କରିଛି ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୧ ଶହ ବାଇକ୍ ଧରାଯାଇଥିବା ବେଳେ ଚାଲକଙ୍କ ନିକଟରୁ ପ୍ରାୟ ୩ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଲାଣି । ତେବେ ଏହି ଜରିମାନା ଅର୍ଥକୁ ସରକାରଙ୍କ କରୋନା ମୁକାବିଲା ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ । ମଟର ଯାନ ଆଇନର ଧାରା ୧୭୯ ଆଧାରରେ ଏହି ଜରିମାନା ଆଦାୟ କରାଯାଉଛି ।