କଟକରେ ଚାଲିଛି ଲେଡି ଡନଙ୍କ ରାଜ୍ । ରଂଜିତା ବିଶ୍ୱାଳଙ୍କୁ ଦାଦାବଟି ଦେଲେ ବାଲିଘାଟରୁ ମିଳେ ବାଲି । ଲେଡି ଡନଙ୍କ ସମେତ ୩ଜଣଙ୍କୁ ଉଠାଇନେଲା କମିଶନରେଟ ପୋଲିସ ।

1,034

କନକ ବ୍ୟୁରୋ : କଟକରୁ ଗିରଫ ହୋଇଛନ୍ତି ଲେଡି ଡନ୍ । ତାଙ୍କର ଗୋଟିଏ ଇସାରାରେ ବାଲିଘାଟ ନିଲାମ ହେଉଥିଲା । ତାଙ୍କ ଅନୁମତି ମିଳିଲେ ବାଲିଘାଟରୁ ବାଲି ଉଠାଇ ପାରୁଥିଲେ ଠିକାଦାର । ଦାଦାବଟି ଘଟଣାରେ ଲେଡି ଡନ୍ ରଂଜିତା ବିଶ୍ୱାଳ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଜେଲରେ ଥିବା ଡି-ବ୍ରଦର୍ସଙ୍କ ଇସାରାରେ ସବୁ କାମ ରଂଜିତା କରୁଥିଲେ ବୋଲି କମିସନରେଟ ପୁଲିସ ସୂଚନା ଦେଇଛି ।

ବଲିଉଡ୍ ଭଳି କଟକରେ ବି ଲେଡି ଡନ୍ । ନିୟନ୍ତ୍ରଣରେ ଚାଲେ ଅପରାଧ ସାମ୍ରାଜ୍ୟ । କଟକର ଲେଡି ଡନ୍ ରଂଜିତା ବିଶ୍ୱାଳ । ମହିଳା ଜଣକୁ ଦେଖି କେହି ହୁଏତ ଚିନ୍ତା କରିପାରିବେ ନାହିଁ, ଏହି ମହିଳା ଜଣକ ଏତେ ଭୟଙ୍କର ହୋଇପାରନ୍ତି । କିନ୍ତୁ ତାଙ୍କ ଇସାରାରେ ବାଲିଘାଟର ଶାସନ ଚାଲେ । କେହି ତାଙ୍କର ଆଦେଶକୁ ଅମାନ୍ୟ କରିପାରିବେ ନାହିଁ । ଅମାନ୍ୟ କଲେ ଦଣ୍ଡର ନିଷ୍ପତି ବି ସେ ନିଜେ ଶୁଣାନ୍ତି ।

ପୂର୍ବରୁ କଟକ-ଭୁବନେଶ୍ୱର ଅଂଚଳରେ ଅପରାଧର ସାମ୍ରାଜ୍ୟ ଚଳାଉଥିଲେ ଡି ବ୍ରଦର୍ସ ବା ଧଳ ସାମନ୍ତ ବ୍ରଦର୍ସ । ସେମାନେ ଜେଲ ଯିବା ପରେ ବି ବାଲିଘାଟ ଠିକାଦାରଙ୍କ ମନରୁ ଡି-ବ୍ରଦର୍ସଙ୍କ ଭୟ କମି ନାହିଁ । ଆଉ ସେହି ଭୟକୁ ପୁଞ୍ଜି କରି କଟକରେ ଦାଦାବଟି କାରବାର ଚଳାଇଥିଲେ ରଂଜିତା ବିଶ୍ୱାଳ । ଦାଦାବଟି ଘଟଣାରେ ଲେଡି ଡନ୍ ରଂଜିତା ବିଶ୍ୱଳଙ୍କ ସହ ସାଇକେଲ ନନା ଓରଫ ସୁଚିତ୍ର ରଂଜନ ମହାପାତ୍ର ଓ ରଂଜିତ ସିଂଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ଧଳ ସାମନ୍ତ ବ୍ରଦର୍ସଙ୍କ ଇସାରାରେ କଟକ ସେକ୍ଟର-୧୧ରେ ଥିବା ବାଲିଘାଟରେ ଦାଦାବଟି ମାଗୁଥିବା ନେଇ ଖବର ପାଇଥିଲା ପୁଲିସ । ତୁରନ୍ତ ଘାଟରେ ପହଂଚି ସାଇକେଲ ନନାଙ୍କୁ ପୁଲିସ କାବୁ କରିଥିଲା । ପରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ୧ ଲକ୍ଷ ଟଙ୍କା ଜବତ କରିଛି । ଗିରଫ ସୁଚିତ୍ର ମହାପାତ୍ରଙ୍କୁ ଜେରା କରି ରଂଜିତା ବିଶ୍ୱାଳ ଓ ରଂଜିତ ସିଂ ପାଖରେ ପହଂଚିଛି ପୁଲିସ । ତେବେ କାହା ପାଖରୁ ଏହି ଦାଦାବଟି ଆଦାୟ କରାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ ।