କଟକ ପରି ରାଉରକେଲାରେ ହୋଇଛି କି ନାଟକୀୟ ଲୁଟ୍ ? ସିଲଭରସିଟି ସୁନା ଲୁଟ ଷଡଯନ୍ତ୍ରରେ ସଂସ୍ଥା କର୍ମଚାରୀ ଥିବା ସ୍ପଷ୍ଟ ହେବା ପରେ ଘନେଇଲା ସନ୍ଦେହ ।

546

କନକ ବ୍ୟୁରୋ: ୪ ବର୍ଷ ତଳର ଘଟଣା । ସ୍ଥାନ- ରାଉରକେଲାର ମଧୁସୂଧନ ମାର୍ଗ । ଜୁଲାଇ ୮ ତାରିଖ ୨୦୧୬ । ଠିକ୍ କଟକ ଭଳି ରାଉରକେଲା ମଧୁସୂଧନ ମାର୍ଗରେ ଥିବା ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ ବା ଆଇଆଇଏଫଏଲର ଶାଖାରୁ ୧୬ କିଲୋ ସୁନା ଚୋରି ହୋଇଗଲା । ସେତେବେଳେ ବି ଠିକ କଟକ ଭଳି ସୁନା ଋଣ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି ଅଚଳ ଥିଲା, ସାଇରନ୍ ବି ବାଜୁ ନଥିଲା । ଏମିତିକି ସୁରକ୍ଷା କର୍ମୀ ବି ନଥିଲେ । ରିପୋର୍ଟ ଅନୁସାରେ ୬ ଜଣ ମୁଖାପିନ୍ଧା ଯୁବକ ସଂସ୍ଥା ଭିତରେ ପଶି ବନ୍ଧୁକ ଦେଖାଇ ୧୬ କିଲୋ ସୁନା ଲୁଟି ନେଇଗଲେ । ଯାହାର ଆଜି ଦିନର ମୂଲ୍ୟ ହେବ ପ୍ରାୟ ୮ କୋଟି ଟଙ୍କା ।

ଅର୍ଥାତ ତଦନ୍ତରେ ଅଧିକ କିଛି ଅଗ୍ରଗତି ହୋଇ ନାହିଁ । କଟକରେ ଯେମିତି ସଂସ୍ଥାର ଲୋକମାନେ ଏକ ନାଟକ ସୃଷ୍ଟି କରି ସିସିଟିଭି ଓ ସାଇରନକୁ ଅଚଳ କରି ଲୁଟ ପାଇଁ ଏକ ପେଣ୍ଡାଲ ତିଆରି କଲେ ରାଉରକେଲାରେ ମଧ୍ୟ ଏଭଳି କରାଯାଇନଥିବ ବୋଲି କହି ହେବ ନାହିଁ ।

ଏଭଳି ନିଜ ସଂସ୍ଥାରେ ନିଜେ ଲୁଟ କରାଇବାର ଅନେକ କାରଣ ଥାଇପାରେ । ନିଜ ଲୋକଙ୍କ ଜରିଆରେ ଲୁଟ କରି ବୀମା ଟଙ୍କା ହାତେଇବାକୁ ଏଭଳି ଲୋକମାନେ ଯୋଜନା କରିଥାନ୍ତି । ଆଉ ବୀମା ସଂସ୍ଥାରୁ ମୋଟା ରକମର ଅର୍ଥ ପାଆନ୍ତି ।

କଟକ ଘଟଣା ପରେ ୪ ବର୍ଷ ତଳେ ରାଉରକେଲାରେ ଘଟିଥିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏଠାରେ ପ୍ରକୃତରେ ଲୁଟ ହୋଇଥିଲା ନା ଲୁଟ୍ର ନାଟକ କରାଯାଇ ଏକ ବଡ ଠକେଇ ହୋଇଥିଲା ତାର ଉତର ମିଳିବା ଦରକାର । କାରଣ ଏହି ଘଟଣାରୁ ଅନେକ ଲୋକ ନିଜ ପକେଟ ଗରମ କରିଥିବେ ।