କନକ ବ୍ୟୁରୋ : କଟକ ଜିଲ୍ଲା ଜଗତପୁର ଥାନା ଚଂପତି ଗାଁରେ ଥିବା ସିମେଂଟ କାରଖାନା ଉପରେ ଜଗତପୁର ପୁଲିସର ଚଢ଼ାଉ । ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର ଆଇଆଇସି ରବିନ୍ଦ୍ର ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଂଟ ଜବତ କରାଯାଇଛି । ଏଠାରେ ୩ଟି ବ୍ରାଣ୍ଡର ନକଲି ସିମେଂଟ ତିଆରି କରାଯାଇ ବଜାରକୁ ଛଡ଼ା ଯାଇଥିଲା । ପୋଲିସ ଆଜି ଏହି ଗୋଦାମ ଉପରେ ଚଢ଼ାଉ କରି ଗୋଦାମ ସିଲ କରିବା ସହିତ ମାଲିକକୁ ଅଟକ ରଖିଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Advertisment

କଟକ ସହରର ଉପକଣ୍ଠ ଜଗତପୁର ଅଞ୍ଚଳ ନକଲି ତଥା ଅପମିଶ୍ରିତ ସାମଗ୍ରୀ କାରବାରର ପେଣ୍ଠସ୍ଥଳ ଭାବେ ଏବେ କୁଖ୍ୟାତି ଅର୍ଜିଛି। ଗଲା ଏକ ବର୍ଷ ଭିତରେ କମିସନରେଟ ପୁଲିସ ଜଗତପୁର ଏବଂ କଟକରୁ ୨୫ରୁ ଅଧିକ ନକଲି ତଥା ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତି କାରଖାନା ଠାବ କରିଛି । କିନ୍ତୁ ଚଳିତ ବର୍ଷର ପ୍ରଥମ ଘଟଣା ଭାବେ ଏହି ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଜଗତପୁର ପୀରବଜାର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଚମ୍ପତି ଗ୍ରାମରେ ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ନକଲି ସିମେଣ୍ଟ କାରଖାନାକୁ ଜଗତପୁର ପୁଲିସ ଠାବ କରିଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ ମା’ ତାରିଣୀ କନଷ୍ଟ୍ରକସନ କମ୍ପାନି ନାମରେ  ଦୀର୍ଘ ବର୍ଷ ହେବ ଏହି ନକଲି କାରଖାନା ଚାଲି ଆସୁଛି। ସୋମବାର ଦିନ ଏସିପି ଅମରେନ୍ଦ୍ର ପଣ୍ଡା ଓ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର ମେହେରଙ୍କ ନେତୃତ୍ୱରେ ପୁଲିସ ସିମେଣ୍ଟ କାରଖାନାରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ କାରଖାନାରେ ୫୦୦ରୁ ଅଧିକ ଅଲଟ୍ରାଟେକ, ଡିଏସପି ଡାଲମିଆ ଏବଂ ଏସିସି ବ୍ରାଣ୍ଡ୍‌ର ସିମେଣ୍ଟ ସହିତ ଓଜନ ମେସିନ, ଏକାଧିକ କାହାଳି ଓ ହଜାର ହଜାର ସଂଖ୍ୟାର ବିଭିନ୍ନ ନାମକରା କଂପାନିର ନାମ ଛପା ଥିବା ପଲିଥିନ ପ୍ୟାକେଟ ପୁଲିସ ଜବତ କରିଥିଲା ।

ବଜାରରୁ ଏକ୍ସପାରି ସିମେଣ୍ଟ ସଂଗ୍ରହ କରାଯାଇ ଓ ପୁରୁଣା ନଷ୍ଟ ହୋଇଥିବା ବସ୍ତାରୁ ମୁଣ୍ଡା ସିମେଣ୍ଟ ଗୁଡିକୁ ବାହାର କରି ସେଗୁଡିକୁ ଗୁଣ୍ଡ କରିବା ପରେ କିଛି ନୂଆ ସିମେଣ୍ଟ ମିଶାଇ ପ୍ୟାକିଂ କରି ଏହାକୁ ବଜାରକୁ ବିକ୍ରି ପାଇଁ ନୂଆ ମୂଲ୍ୟରେ ଛଡ଼ା ଯାଉଥିଲା । ବିଭିନ୍ନ ନାମିଦାମୀ କମ୍ପାନି ନାମରେ ପଲିଥିନ ପ୍ୟାକେଟ ବ୍ରହ୍ଣପୁରରେ ପ୍ରିଣ୍ଟ କରି ଆଣି ଉକ୍ତ କାରଖାନାରେ ନକଲି ସିମେଣ୍ଟ ଭର୍ତ୍ତି କରି କଟକ ଓ ଏହାର ଆଖପାଖ ସହର ସହିତ ରାଜ୍ୟ ଏବଂ ରାଜ୍ୟ ବାହାରକୁ ମଧ୍ୟ ପଠା ଯାଉଥିଲା। ବିକ୍ରି ସମୟରେ ଅସଲି ସିମେଣ୍ଟ ବସ୍ତା ମଝିରେ ଏହି ନକଲି ସିମେଣ୍ଟ ବସ୍ତା ଗୁଡିକୁ ଭର୍ତ୍ତି କରି କୌଶଳ କ୍ରମେ ବଜାରରେ ବିକ୍ରି କରାଯାଇଥାଏ ।