କଟକ ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା । ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ

1,791

କନକ ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିତ କୋଇଲିରୁ ହଟିଲା ଅବରୋଧ । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ । ତେବେ ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳକୁ ଯାଇଥିବା କାରଣରୁ ଏହି ଦୁଇ ଅଂଚଳକୁ ଅବରୋଧ ଅଂଚଳ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । କଟକ ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା ।

ଅନ୍ୟପଟେ କଟକ ବକ୍ସି ବଜାର ଅଂଚଳରେ ଲାଗୁ ହୋଇଥିବା କଂଟେନମେଂଟ୍ ଜୋନ୍ କଟକଣା ମଧ୍ୟ ହଟିଛିି । କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବକ୍ସିବଜାର ନିକଟ ପଟାପୋଲ ଅଂଚଳରୁ କଟକଣା ହଟାଯାଇଛି । କିଛି ଦିନ ତଳେ କଟକର ବକ୍ସିବଜାର ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର କୋଭିଡ ହସପିଟାଲରେ ଭର୍ତି କରାଯିବା ସହ ଚିକିତ୍ସା କରାଯାଇଥିଲା ।

ଏହାପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇ ସିଲ କରାଯାଇଥିଲା । ଏପରିକି ସଂପୃକ୍ତ ଅଂଚଳରେ ଘରକୁ ଘର ଯାଂଚ କରାଯାଇ ସନ୍ଦିଗ୍ଧଙ୍କ ପରୀକ୍ଷା କରାଯାଇଥିଲା । ତେବେ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସଂପୃକ୍ତ ଅଂଚଳରୁ କଟକଣା ହଟାଇଦିଆଯାଇଛି । ଏବେ ପଟାପୋଲ ଅଂଚଳ ବାସିନ୍ଦା ଜରୁରୀ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରି ପାରିବେ । ତେବେ ଲକଡାଉନ୍ କଟକଣା ଜାରି ରହିବ ।