ଦିଲ୍ଲୀରେ ପୁରସ୍କୃତ ହେଲା ‘କଟକ ଦହିବରା’: ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ୧ ନମ୍ବର ସ୍ଥାନ ପାଇଲା ପ୍ରଦୀପ୍ତଙ୍କ ଦହିବରା ଆଳୁଦମ । ଜାଣନ୍ତୁ କଟକର କେଉଁଠି ରହିଛି ନମ୍ବର ୱାନ ଦହିବରା ଷ୍ଟଲ

1,540

କନକ ବ୍ୟୁରୋ: ଦିଲ୍ଲୀରେ ଚମକିଲା କଟକ ଦହିବରା । ରାଜଧାନୀରେ ୧ ନମ୍ବର ହେଲା କଟକର ରାସ୍ତାକଡ ଦହିବରା । ଜାତୀୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କାର ହାତେଇଛନ୍ତି କଟକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ କୁମାର ସାହୁ ।

ତେବେ ଗତ ଡିସେମ୍ବରରେ ଦିଲ୍ଲୀରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ ଫୁଡ ଫେଷ୍ଟିଭାଲରେ ଭାଗ ନେଇଥିଲେ ପ୍ରଦୀପ୍ତ । ସାରା ଦେଶରୁ ୨୯ ଜଣ ପ୍ରତିଯୋଗୀ ପ୍ରାୟ ୨୫୦ଟି ଷ୍ଟଲ ଲଗାଇଥିଲେ ବି ସେମାନଙ୍କ ମଧ୍ୟରେ ୧ ନମ୍ବର ହୋଇଥିଲା ପ୍ରଦୀପ୍ତଙ୍କ ହାତ ତିଆରି ସ୍ୱାଦିଷ୍ଟ ଦହିବରା ଆଳୁଦମ । ଆଉ ଶେଷରେ ଜୁରି ମେମ୍ବରଙ୍କ ମନ ଜିଣିଥିବା କଟକର ଦହିବରାକୁ ପୁରସ୍କୃତ କରାଯାଇଥିଲା ।

ତେବେ ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ପ୍ରଦୀପ୍ତ ଦୀର୍ଘ ୩୦ ବର୍ଷ ହେବ ଦହିବରା ଆଳୁଦମ ବ୍ୟବସାୟ କରି ଆସୁଛନ୍ତି । ଦିଲ୍ଲୀରେ ପୁରସ୍କାର ପାଇବା ପୂର୍ବରୁ ୨୦୦୪ରେ ସେ କଟକରେ ବି ପ୍ରଥମ ହୋଇ ପୁରସ୍କାର ପାଇଥିଲେ । ରାତି ସାଢେ ୫ଟାରୁ ଉଠି ନିଜ ସ୍ତ୍ରୀ ସହ ଅପରାହ୍ଣରେ ଦହିବରା ବ୍ୟବସାୟ କରିବାକୁ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରନ୍ତି ପ୍ରଦୀପ୍ତ

ତେବେ ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ପ୍ରଦୀପ୍ତଙ୍କ ଏହି ୧ ନମ୍ବର ଦହିବରା ଦୋକାନ କଟକ ସେଲଟର ଛକରେ ରହିଛି । ପ୍ରଦୀପ୍ତଙ୍କ ଏହି ଦହିବରା ଦିଲ୍ଲୀରେ ପୁରସ୍କୃତ ହେବା ପରେ ଏବେ ତାଙ୍କ ହାତ ତିଆରି ନମ୍ବର ୧ ଦହିବାର ଖାଇବାକୁ କଟକ ଧାଉଁଛନ୍ତି ଲୋକେ ।