ଚିକିତ୍ସା ବିଜ୍ଞାନରେ ଆଉ ଏକ ଫର୍ଦ୍ଦ ଯୋଡିଲା କଟକ ବଡ଼ ମେଡିକାଲ : କଟା ଯୌନାଙ୍ଗକୁ ଯୋଡି ଯୁବକକୁ ଦେଲେ ନବଜୀବନ

ସଫଳତାର ସହ ବିରଳ ଅପରେସନ୍ କଲା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ୍

512

କନକ ବ୍ୟୁରୋ : କଟକ ବଡ଼ ଡାକ୍ତରଖାନାରେ ବିରଳ ଅପରେସନ । ପ୍ରଥମ ଥର ପାଇଁ ଯୋଡାଯାଇଛି କଟା ଯୌନାଙ୍ଗ । ବାଲେଶ୍ୱର ନୀଳଗିରି ଅଂଚଳରେ ଜଣେ ଯୁବକ ନିଜର ଯୌନାଙ୍ଗ କାଟି ଦେଇଥିଲେ । ପ୍ରଥମେ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା । ସ୍ଥିତି ଜଟିଳ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ଏସସିବିର ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି କଟା ଅଙ୍ଗକୁ ଯୋଡିବାରେ ସଫଳ ହୋଇଛନ୍ତି ।

ଏହା ଏମିତି ଏକ ବିରଳ ଅପରେସନ୍ ଯାହା ପୂର୍ବରୁ କେବେ ହୋଇନଥିଲା କଟକ ବଡ଼ ଡାକ୍ତରଖାନାରେ । କଟା ଯୌନାଙ୍ଗକୁ ଯୋଡି ଜଣେ ଯୁବକଙ୍କୁ ନବଜୀବନ ଦେଇଥିବା ବେଳେ ଆଧୁନିକ ଚିକିତ୍ସା ବିଜ୍ଞାନରେ ବଡ଼ ସଫଳତା ପାଇଛି ଏସସିବି ମେଡିକାଲ । ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମର ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଛି ।

ଗତ ଜାନୁଆରୀ ମାସରେ ବାଲେଶ୍ୱର ନୀଳଗିରି ଅଂଚଳରେ ଜଣେ ଯୁବକ, ବିବାହ ପରଦିନ ମାନସିକ ଭାରସାମ୍ୟ ହରାଇ ନିଜ ଯୌନାଙ୍ଗକୁ କାଟି ଦେଇଥିଲେ । ପ୍ରଥମେ ବାଲେଶ୍ୱର ଡାକ୍ତରଖାନା, ପରେ କଟକ ବଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ୧୧ ଘଂଟା ପରେ କଟକରେ ପହଁଚିବା ସତ୍ୱେ ଡାକ୍ତରୀ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରିଥିଲେ, ୫ ଘଂଟାର ଅପରେସନ୍ ପରେ ସଫଳତା ପାଇଥିଲେ । ୨ ମାସ ପରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛନ୍ତି ଯୁବକ । ଏହି ବିରଳ ଅପରେସନ୍ ସଫଳ ହେବା ପରେ କଟକ ବଡ଼ ଡାକ୍ତରଖାନା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହୋଇଛି ।