କନକ ବ୍ୟୁରୋ : କଟକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇ ଛାତ୍ର ତୁଷାର କାନ୍ତ ସାହୁଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । କେମିତି ହେଲା ତୁଷାରଙ୍କର ମୃତ୍ୟୁ । ତୁଷାରଙ୍କୁ ମାରିଲା କିଏ? ତୁଷାରଙ୍କ ହତ୍ୟା ପଛରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ଏହି ସନ୍ଦେହ ଆହୁରି ଘନୀଭୂତ ହୋଇଛି । ମଙ୍ଗଳବାରଠାରୁ ତୁଷାର ନିଖୋଜ ହୋଇଯାଇଥିଲା । ବହୁ ଖୋଜା ଖୋଜି ପରେ ଗତକାଲି କଟକ ଯୋବ୍ରା ଆନିକଟରୁ ମିଳିଥିଲା ତାଙ୍କ ମୃତଦେହ । ତୁଷାରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

Advertisment

ତୁଷାରଙ୍କ ଉଭଣୀଙ୍କ କହିବା ଅନୁସାରେ, ଖ୍ରୀଷ୍ଟ୍ କଲେଜରେ ଯୁକ୍ତ ଦୁଇ ପଢୁଥିବା ତୁଷାରଙ୍କର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଉଭୟଙ୍କ ମଧ୍ୟରେ ଭୁଲ ବୁଝାମଣା ପରେ ସଂପୃକ୍ତ ଯୁବତୀଙ୍କ ସାଙ୍ଗମାନେ ତୁଷାରଙ୍କୁ ଡାକି ମାଡ ମାରିଥିଲେ । ତେଣୁ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ତୁଷାରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସଂପୃକ୍ତ ଛାତ୍ରୀ ତାଙ୍କୁ ମଙ୍ଗଳବାର ଦିନ ଇନଡୋର୍ ଷ୍ଟାଡିୟମ ନିକଟକୁ ଡାକିଥିଲେ। ଛାତ୍ରୀଙ୍କ ସହ ୩ ଜଣ ଯୁବକ ଥିଲେ। ତୁଷାର ଓ ସେମାନଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିବାବେଳେ ସେମାନେ ତୁଷାରଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ସଂପୃକ୍ତ ଛାତ୍ରୀଙ୍କ ସାଙ୍ଗରେ ଆସିଥିବା ଯୁବକ ତୁଷାରଙ୍କୁ ମାଡ଼ ମାରିଥିଲେ। ତୁଷାରଙ୍କର ଜଣେ ସାଙ୍ଗଙ୍କ ଉପସ୍ଥିତିରେ ଏସବୁ ଘଟିଥିଲା।

ପରେ ତୁଷାର ଘରକୁ ଫେରି ଆସି ରାତି ପ୍ରାୟ ୮ଟା ବେଳେ ତାଙ୍କ ବଡ଼ ଭଉଣୀଙ୍କ ସ୍କୁଟି ନେଇ ପୁଣି ଘରୁ ଚାଲି ଯାଇଥିଲେ। ଗତକାଲି ମହାନଦୀର ମଧୁସୂଦନ ସେତୁ ଉପରେ ତୁଷାରଙ୍କ ସ୍କୁଟି ମିଳିଥିଲା। ପୁଲିସ ଓ ଓଡ୍ରାଫ୍ ଟିମ୍ ସେଠାରେ ଖୋଜାଖୋଜି କରିଥିଲେ ବି ତୁଷାରଙ୍କ ପତ୍ତା ମିଳି ନଥିଲା। ଅନ୍ୟପଟେ ଗୁରୁବାର ଦିନନ ଯୋବ୍ରା ବ୍ୟାରେଜର ୯ ନମ୍ବର ଫାଟକ ନିକଟରୁ ତୁଷାରଙ୍କ ମୃତଦେହକୁ ଓଡ୍ରାଫ୍ ଓ ପୁଲିସ ଟିମ୍ ଉଦ୍ଧାର କରିଥିଲା।