କଟକ ଆଇପିଏଲ ଦୌଡ଼ରେ ଜିନ୍ଦଲ : ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ବିସିସିଆଇ ଟ୍ରେଣ୍ଡରରେ ନବୀନ ଜିନ୍ଦଲ କିଣିଲେ କଟକ ସହର ପାଇଁ ବିଟ୍ ପେପର

ଆସନ୍ତା ୨୫ ତାରିଖରେ ଦୁବାଇ ବୈଠକରେ ଘୋଷଣା ହେବ ୨ ନୂଆ ଦଳ

671

କନକ ବ୍ୟୁରୋ : ଏଥର ଆଇପିଏଲ ଟିମରେ କଟକ ଦଳ ସ୍ଥାନ ପାଇବା ଆଶା ଦେଖାଦେଇଛି । କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଏ ନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସିସିଆଇର ନୂଆ ଦଳ ଟେଣ୍ଡରରେ ନବୀନ ଜିନ୍ଦଲ କଟକ ପାଇଁ ବିଡ ପେପର କିଣିଛନ୍ତି । ଆସନ୍ତା ୨୫ ତାରିଖରେ ଦୁବାଇରେ ହେବାକୁ ଥିବା ବୈଠକରେ ବିଡ୍‌ ଦାଖଲ ହେବା ପରେ ଦୁଇଟି ନୂଆ ଦଳ ବିଷୟରେ ଘୋଷଣା କରାଯିବ । ତେଣୁ କଟକର ଭାଗ୍ୟ ଫିଟିବ କି ନାହିଁ ତାହା ଆସନ୍ତା ସୋମବାର ପରେ ସ୍ପଷ୍ଟ ହେବ ।

ଆସନ୍ତା ଆଇପିଏଲ୍‌ ସ˚ସ୍କରଣଠୁ ଦଳ ସ˚ଖ୍ୟା ୮ରୁ ୧୦କୁ ବୃଦ୍ଧି ପାଇବ। ଏଥିପାଇଁ ଦୁଇଟି ନୂଆ ଦଳ ପାଇଁ ଗୌହାଟୀ, ରାଞ୍ଚି, କଟକ, ଅହମ୍ମଦାବାଦ, ଲକ୍ଷ୍ନୌ ଓ ଧର୍ମଶାଳାକୁ ନୂଆ ସହର ଭାବେ ବିଡ୍‌ ଆହ୍ବାନ କରାଯାଇଥିଲା । ନୂଆ ଦଳ ପାଇଁ ବିଡ୍‌ର ମୂଳ ଦର ୨ହଜାର କୋଟି ଟଙ୍କା ରଖାଯାଇଥିଲା। ତେବେ ଯେଉଁ ସ˚ସ୍ଥା ବିଡ୍‌ ଦାଖଲ କରିବେ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର ୩ହଜାର କୋଟି ଥିବା ଆବଶ୍ୟକ । ଏଥିସହ ବିଡ୍‌ ଦାଖଲକାରୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ଅନ୍ୟୂନ ୨୫୦୦ କୋଟି ଟଙ୍କା ହୋଇଥିବା ବାଧ୍ୟତାମୂଳକ ରହିଥିଲା ।

ତେବେ ବାର୍ଷିକ ଟର୍ଣ୍ଣଓଭର ଧାରା କ୍ଷେତ୍ରରେ କେତେକ ଆଗ୍ରହୀ ବିଡର‌୍‌ ଆପତ୍ତି ଉଠାଇଥିଲେ। ମାନଦଣ୍ତ ପୂରଣ କରିବା ପାଇଁ ଟର୍ଣ୍ଣଓଭର ମୂଲ୍ୟକୁ ହ୍ରାସ କରିବାକୁ ଅନୁରୋଧ ଆସିଥିଲା । ଯେଉଁଥିପାଇଁ ବିସିସିଆଇ ଏହାର ଟେଣ୍ତର ସର୍ତ୍ତରେ କିଛିଟା ପରିବର୍ତ୍ତନ କରିଥିଲା । ଏହାଫଳରେ ନବୀନ ଜିନ୍ଦଲଙ୍କ ସହ ଅନ୍ୟାନ୍ୟ ବିଡରମାନେ ଆଇପିଏଲ୍‌ ଦଳ ପାଇଁ ଆକୃଷ୍ଟ ହୋଇଥିବା କୁହାଯାଉଛି । ନବୀନ ଜିନ୍ଦଲଙ୍କ ବ୍ୟତୀତ କୋଟାକ ଗ୍ରୁପ୍‌, ଟୋରେଣ୍ଟ, ଆଦାନି ଗ୍ରୁପ୍‌ ଭଳି ବଡ଼ ବଡ଼ କମ୍ପାନିମାନେ ଆଇପିଏଲ୍‌ର ବିଭିନ୍ନ ଦଳ ପାଇଁ ଆଗ୍ରହ ଦେଖାଇଛନ୍ତି ।

କଟକକୁ ଆଇପିଏଲ୍‌ ସହର ପାଇଁ ପୂର୍ବରୁ କେହି ଆଗ୍ରହ ଦେଖାଉନଥିଲେ ବି ଏଠାରେ ଆଇପିଏଲ୍‌ ମ୍ୟାଚ ଖେଳାଯାଇଛି। ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, କୋଲକାତା ନାଇଟ୍‌ ରାଇଡର୍ସ ବାରବାଟୀକୁ ଘରୋଇ ପଡ଼ିଆ ଭାବେ ବ୍ୟବହାର କରିଛନ୍ତି । ଯଦି ନୂଆ ଦଳ ମଧ୍ୟରେ କଟକ ସ୍ଥାନ ପାଏ, ତାହେଲେ ଓଡ଼ିଶାର ଖେଳାଳିମାନେ ଜାତୀୟ ସ୍ଥରରେ ସିଧାସଳଖ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇପାରିବେ । ପୂର୍ବରୁ କେବଳ ହଳଧର ଦାସ, ବିପ୍ଲବ ସାମନ୍ତରାୟ ଆଇପିଏଲ୍‌ରେ ଖେଳିବାକୁ ସୁଯୋଗ ପାଇଥିଲା ବେଳେ ଆଇପିଏଲ୍‌ରେ ଖେଳିସାରିଥିବା ଅଭିଷେକ ରାଉତ ବର୍ତ୍ତମାନ ଓଡ଼ିଶା ଦଳରେ ଖେଳୁଛନ୍ତି । ଏହାବାଦ୍‌ କନିଷ୍ଠ ଓ ବରିଷ୍ଠ ଦଳରେ ଏକାଧିକ ପ୍ରତିଭାବାନ ଖେଳାଳିଥିବାରୁ ସେମାନେ ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି ।

ତେବେ ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କ ସୂଚନା ଅନୁଯାୟୀ, କଟକ ପାଇଁ କିଏ ବିଡ୍‌ ଦାଖଲ କରିବେ ସେ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଯଦିଓ ଏକାଧକ କମ୍ପାନିଙ୍କୁ କଟକ ପାଇଁ ବିଡ୍‌ ପକାଇବାକୁ ଅନୁରୋଧ କରାଯାଇଥିଲା । ତଥାପି ଯିଏ ବି ବିଡ୍‌ ହାସଲ କରିବେ ସେହି କମ୍ପାନିକୁ ଓସିଏ ପକ୍ଷରୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସ˚ଜୟ ପ୍ରତିଶ୍ରୁତି ଦେଇଛନ୍ତି ।