କନକ ବ୍ୟୁରୋ: ଚିତ୍ରଟିଏ ଆଙ୍କିବାକୁ ହେଲେ ରଙ୍ଗ ଦରକାର ପଡୁଥିବା ଆପଣ ସମସ୍ତେ ଜାଣିଥିବେ । ହେଲେ ଏଠି ଚିତ୍ର ଆଙ୍କିବାକୁ ଦରକାର ପଡେନି କୌଣସି ରଙ୍ଗ କି ତୁଳି । ବରଂ ଡିବିରି ଆଲୁଅରେ ଆଙ୍କି ହୋଇଯାଏ ଆକର୍ଷଣୀୟ ଚିତ୍ର । ଏହା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ଏକଦମ ସତ । ଏହାକୁ ସତ କରିଦେଖାଇଛନ୍ତି କଟକ ପୁଅ ଦୀପକ ।
ପେସା ସହ ନିଶା ଦେଇଛି ପରିଚୟ । ଚିତ୍ରକଳାକୁ ପେସା ଭାବି ଦୀର୍ଘ ୧୫ ବର୍ଷ ହେବ କଟକ ଯୁବକ ଦୀପକ ବିଶ୍ୱାଳ ଚିତ୍ର ଆଙ୍କି ଆସୁଛନ୍ତି । ଚିତ୍ରଟିଏ ଆଙ୍କିବାକୁ ରଙ୍ଗ ଓ ତୁଳିର ଆବଶ୍ୟକତା ପଡୁଥିବାବେଳେ ଦୀପକ କିନ୍ତୁ ଡିବିରି ଧୂଆଁରେ ଚିତ୍ର ଆଙ୍କି ଦେଶ ବିଦେଶରେ ପ୍ରଶଂସା ସାଉଁଟୁଛନ୍ତି । ତାଙ୍କର ଏହି କଳାର ନାଁ ରଖିଛନ୍ତିି ‘ସ୍ମୋକ ଆର୍ଟ’ । ବିନା ପ୍ରଶିକ୍ଷଣରେ ଚିତ୍ର ଆଙ୍କୁଥିବାବେଳେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଆଙ୍କି ସେ ଚର୍ଚ୍ଚାକୁ ଆସିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଏବଂ ପ୍ରସ୍ତୁତ କରିଥିବା ସ୍ମୋକ୍ ଆର୍ଟକୁ ତାଙ୍କୁ ଭେଟିଦେବାକୁ ଲକ୍ଷ୍ୟ ରଖିଛନ୍ତି ଦୀପକ ।
ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ରହୁଥିବା ଗୟାଧର ବିଶ୍ୱାଳ ଓ ବାସନ୍ତି ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଦୀପକ । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ମୂଳବାସିନ୍ଦା ହୋଇଥିଲେ ବି କଟକରେ ଦୀର୍ଘବର୍ଷ ଧରି ରହିଆସୁଛନ୍ତି ତାଙ୍କ ପରିବାର । ପାଠପଢା ସହ ସମୟ ମିଳିଲେ ରଙ୍ଗ ତୁଳୀ ଧରି ବସିପଡନ୍ତି ଦୀପକ । ମାଟ୍ରିକ ପାଠପଢା ପରେ ସେ ଆର୍ଟ କଲେଜରେ ପଢିବାକୁ ଇଚ୍ଛା କରିଥିଲେ । ହେଲେ ପରିବାର ଲୋକ ଚାହୁଁଥିଲେ କଟକରେ ରହି ଦୀପକ କିଛି ବ୍ୟବସାୟ ଆରମ୍ଭ କରନ୍ତୁ । ତେଣୁ ଆର୍ଟ କଲେଜର ସ୍ୱପ୍ନ ଛାଡି ରେଭେନ୍ସାରେ ଯୁକ୍ତ ଦୁଇ ପଢିଲେ । ପରେ ଡିପ୍ଲୋମା କରି ମେଡିସିନ୍ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଚିତ୍ର ଆଙ୍କିବା ପ୍ରତି ତାଙ୍କର ଦୁର୍ବଳତାକୁ ଲୁଚାଇ ପାରିନଥିଲେ । ତେଣୁ ବ୍ୟବସାୟ ସହ ଟିକିଏ ସମୟ ମିଳିଲେ ସେ ବିଭିନ୍ନ ଚିିତ୍ର ଆଙ୍କୁଥିଲେ । ଏଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ଜୋଡି ହୋଇଗଲେ ।
ଏବେ ସ୍ମୋକ୍୍ ଆର୍ଟ କରି ଦୀପକ କଳା କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଉନ୍ମୋଚନ କରିପାରିଛନ୍ତିି । ଏହି ଶୈଳୀକୁ କିପରି ଆହରୁି ଉକ୍ରୃଷ୍ଟ କରାଯାଇପାରିବ ସେଥିପାଇଁ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ଗତ କିଛିଦିନ ପୂର୍ବେ ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ନିର୍ବାଚନରେ ବିଜୟୀ ହୋଇଥିଲେ । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଦୀପକ ଏକ ସ୍ମୋକ ଆର୍ଟ କରିଥିଲେ । ନିଜେ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ଏହି ଫଟୋ ସହ ଏକ ଟ୍ୱିଟ କରିଥିଲେ । ଏହି ଚିତ୍ରକଳା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଦୀପକଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।