ପୁଣି ଥରେ ତାଜା ହୋଇଗଲା, ମିଲଖା ସିଂହଙ୍କ କଟକ କାହାଣୀ । ଦୌଡ଼ ସରିବା ପରେ ଟ୍ରାକ୍ ମାପିଥିଲେ ମିଲଖା

300

କନକ ବ୍ୟୁରୋ: ନିଜ କ୍ରୀଡା କ୍ୟାରିୟରରେ ମୋଟ୍ ୮୦ଟି ରେସ୍ ରେ ଅଂଶ ଗ୍ରହଣ କରିଥିଲେ ମିଲଖା ସିଂ । ଏଥିରୁ କେତୋଟିରେ ବିଜୟୀ ହୋଇଥିଲେ ଜାଣିଛନ୍ତି । ମିଲଖା ସିଂ ଏହା ମଧ୍ୟରୁ ୭୭ଟି ରେସରେ ବାଜି ମାରିନେଇଥିଲେ । ଏହି ବିଜୟ ଭିତରୁ ରହିଛି ଓଡିଶା କନେକ୍ସନ । ବାରବାଟୀ ଷ୍ଟାଡିୟମରେ ଗୋଟିଏ ରେସ୍ ଦୌଡି ଥିଲେ ମିଲଖା ସିଂ । ଏଥିରେ କିପରି ବିଜୟୀ ହୋଇଥିଲେ ମିଲଖା ଆସନ୍ତୁ ଦେଖିବା ।

ମିଲଖା ସିଂ । କ୍ରୀଡା ଜୀବନରେ ସଫଳତା ଯେତିକି ହାସଲ କରିଛନ୍ତି , ତା ସହିତ କାହାଣୀ ବି ସେତିକି ଯୋଡି ହୋଇ ରହିଛି । ମିଲଖାଙ୍କ ଜୀବନ ଓ ଏହି ଦୌଡ ଗୁଡିକୁ ଯୋଡି ଦେଲେ କୌଣସି ପରୀ କାହାଣୀରୁ ବି କମ୍ ହେବନି । ସେହିପରି ମିଲଖାଙ୍କ ସହିତ ଯୋଡି ହୋଇ ରହିଛି ଓଡିଶାର ଏକ କାହାଣୀ । ଏ କାହାଣୀ ବାରବାଟୀର ।

ମିଲଖା ସିଂଙ୍କ କହିବା ଅନୁସାରେ ୧୯୫୭ ମସିହାର କଥା । ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେଉଥାଏ ନାସନାଲ୍ ଆଥଲେଟିକ୍ ମିଟ । ମିଲଖା ସିଂ ଏହି ଆଥଲେଟିକ୍ ମିଟରେ ଅଂଶଗ୍ରହଣ କରିବାକୁ ଆସିଥିଲେ କଟକ । ବାରବାଟୀରେ ୪୦୦ ମିଟର ଦୌଡରେ ରହିଥିଲା ତାଙ୍କର ଇଭେଂଟ । ଦୌଡର ସମୟ ଆସିଲା । ଟ୍ରାକରେ ଠିଆ ହୋଇଥିଲେ ମିଲଖା । ବାସ୍ ରନିଂ ଆରମ୍ଭ ହେଲା ତ ବାଜି ମାରିନେଲେ ମିଲଖା । ପୁରୁଣା ରେକର୍ଡ କୁ ବି ଭାଙ୍ଗି ଦେଇଥିଲେ । ଏତେ କମ୍ ସମୟରେ ବାରବାଟୀରେ ୪୦୦ ମିଟର ଦୌଡ କେମିତି ସରିଦେଲେ କିଛି ବୁଝି ପାରୁନଥିଲେ ମିଲଖା ।

ଏହି ବାରବାଟୀ ଷ୍ଟାଡିୟମ ସହିତ ଯୋଡି ହୋଇ ରହିଛି ମିଲଖା ସିଂଙ୍କ ସ୍ମୃତି । ୧୯୫୭ ମସିହାରେ ମିଲଖା ସିଂ ଆସିଥିଲେ ବାରବାଟୀ । ୪୦୦ ମିଟର ଦୌଡରେ ଅଂଶ ଗ୍ରହଣ କରି ଜିତିଥିଲେ ଗୋଲଡ ମେଡାଲ । ଏହି ସ୍ମୃତିକୁ ଓଡିଶା ଗସ୍ତରେ ଆସିବା ସମୟରେ ନିଜେ ସେୟାର କରିଥିଲେ ମିଲଖା ସିଂ ।

ବାରବାଟୀରେ ମିଲଖା ବିଜୟୀ ତ ହୋଇଗଲେ । ହେଲେ ତାଙ୍କୁ ଆଦୌ ବିଶ୍ୱାସ ହେଉନଥିଲା । କେମିତି ଏତେ ଶୀଘ୍ର ସରିଗଲା ଦୌଡ । ବାରବାଟୀରେ କଣ ପଡିଆ ଛୋଟ ହୋଇଯାଇଛି । ରେସ୍ ଜିତିବା ପରେ ସାରା ରାତି ଶୋଇ ପାରିନଥିଲେ ମିଲଖା ସିଂ । ପରଦିନ ଖବର କାଗଜ ଗୁଡିକରେ ଛାଇ ଯାଇଥିଲା ମିଲଖାଙ୍କ ସଫଳତା ।

ସେଦିନ ରେସ୍ ଜିତିଥିବାରୁ ମିଲଖାଙ୍କୁ ରାତି ସାରା ନିଦ ଆସିଲାନି । ସକାଳେ ନିଜେ ବାରବାଟୀର ପଡିଆକୁ ମାପ କରାଇଥିଲେ । ହେଲେ ଯାହା ଫଳ ଆସିଲା ତାକୁ ସେ ବିଶ୍ୱାସ କରିପାରୁନଥିଲେ । କାରଣ ପଡିଆର ମାପ ଠିକ୍ ଥିଲା । ଅର୍ଥାତ୍ ଏତେ କ୍ଷୀପ୍ର ଗତିରେ ଦୌଡି ବାରବାଟୀରେ ମିଲଖା ସେଦିନ ବିଜୟୀ ହୋଇଥିଲେ, ତାକୁ ନିଜେ ବିଶ୍ୱାସ କରିପାରୁ ନଥିଲେ ।

କ୍ୟାରିୟରରେ ମୋଟ୍ ୮୦ଟି ରେସରେ ଦୌଡିଛନ୍ତି ମିଲଖା ସିଂ । ୭୭ଟି ରେସରେ ଜିତିଛନ୍ତି ମେଡାଲ । ଅନେକ ଗୋଲ୍ଡ ହାସଲ କରିଛନ୍ତି । ହେଲେ ୧୯୫୭ ମସିହାର ବାରବାଟୀର ଗୋଲଡ ବିଜୟକୁ ଭୁଲି ପାରିନଥିଲେ ମିଲଖା ସିଂ । କାରଣ ୧୯୫୮ କମନୱେଲଥ ଗେମ୍ସ ଗୋଲ୍ଡ ଆଗରୁ ଏହି ସୁନା ପଦକ ଗୁଡାକ ତାଙ୍କ ପାଦକୁ ଟାଣ କରିଦେଉଥିଲା । ସଫଳତା ଆଡକୁ ବାଟ କାଢି ନେଉଥିଲା । ଧୀରେ ଧୀରେ ନିଜ ଟାଇମିଂରେ ସୁଧାର ଆଣୁଥିଲେ ମିଲଖା । ଆଉ ଦେଶ ଦେଖୁଥିବା ଏହି ସଫଳ କ୍ରୀଡାବିତଙ୍କ ଶୀର୍ଷକୁ ଉଠୁଥିବାର ଯାତ୍ରା । ଆଜି ତାଙ୍କର ଅବର୍ତମାନରେ ସବୁଠି କେବଳ ସ୍ମୃତି ହିଁ ରହିଯାଇଛି ।