କନକ ବ୍ୟୁରୋ : କଟକର ଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇଛି। ମହାନଦୀର ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳାକୁ ଶୁକ୍ରବାର ସଂଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମିଳିତ ଭାବେ ଉଦଘାଟନ କରିଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଦଶ ଦିନ ବାଲିଯାତ୍ରା ଆୟୋଜନ ହେଉଥିବା ବେଳେ ୧୬୦୦ରୁ ଅଧିକ ସ୍ବୀକୃତିପ୍ରାପ୍ତ ସରକାରୀ ଷ୍ଟଲ୍, ଓରମାସ୍, ଭିନ୍ନକ୍ଷମ ଷ୍ଟଲ୍ ସମେତ ୪୩ ଦୋଳି ଏବଂ ସ୍ବତନ୍ତ୍ର ଖାଦ୍ୟ ଷ୍ଟଲ୍ ପଡ଼ିଛି। ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବାରୋପ କରାଯାଇ ଧୂଳି ନଉଡ଼ିବା ପାଇଁ କେମିକାଲ୍ ବ୍ୟବହାର କରାଯାଇଥିବା ବେଳେ ପଲିଥିନକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।
ବୈଷ୍ଣବ ପାଣି ମଂଚରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ମନ୍ତ୍ରୀ ଶଶିଭୂଷଣ ବେହେରା, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ମୁଖ୍ୟବକ୍ତା ଭାବେ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇ କଳିଙ୍ଗ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଶ୍ରମ ଗାନ୍ଧିପୁରୀ ଦେନପାସାରସ ବାଲି ଇଣ୍ଡୋନେସିଆର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଗୁସ୍ ଇନ୍ଦ୍ର ଉଦୟନ ଯୋଗ ଦେଇ ଓଡ଼ିଶାର କଟକ ଏବଂ ଇଣ୍ଡୋନେସିଆର ବାଲି ସହରକୁ ‘ସିଷ୍ଟର୍ ସିଟି’ ରୂପେ ଅଭିହିତ କରିଥିଲେ।
ଉଭୟ ସହରର କଳା, ସଂସ୍କୃତି, ଚାଲିଚଳନ ପ୍ରାୟତଃ ସମାନ। ଓଡ଼ିଶାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ଏବେ ବି ଇଣ୍ଡୋନେସିଆବାସୀ ହିରୋ ରୂପେ ମନେ ରଖିଛନ୍ତି। ଯେତେବେଳେ କଳିଙ୍ଗର ସାଧବ ପୁଅ ବଣିଜ ପାଇଁ ଜାଭା, ବାଲି, ସୁମାତ୍ରାକୁ ଯାତ୍ରା କରୁଥିଲେ, ସେମାନଙ୍କୁ ସେଠାରେ ପାଛୋଟି ନିଆଯାଏ। ସେମାନଙ୍କ ଉଦ୍ଦେଶ୍ୟରେ ଉକ୍ତ ଦିନ ସମସ୍ତେ ମଉନ ବ୍ରତ ଧାରଣ କରିଥାନ୍ତି। ଏଣୁ ବାଲିଯାତ୍ରା ହେଉଛି କଳିଙ୍ଗ ଏବଂ ବାଲିର ଏକ ସଂଯୋଗ ସେତୁ ବୋଲି ଇନ୍ଦ୍ର ଉଦୟନ କହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/Baliyatra2013.jpg)
/kanak/media/post_attachments/wp-content/uploads/2017/10/bali-yatra.jpg)