ଆଇପିଏଲ ଅକ୍ସନ ଟେବୁଲକୁ ଆସିଲା କଟକର ନାଁ । ୬ଟି ସହରକୁ ସଟଲିଷ୍ଟ କଲା ବିସିସିଆଇ । ଜାଣନ୍ତୁ, କେତେ ରହିଛି ବେସ୍ ପ୍ରାଇସ୍?

3,181

କନକ ବ୍ୟୁରୋ: ୨୦୨୨ରେ ଆଇପିଏଲରେ ଆଉ ୨ଟି ନୂଆ ଟିମ୍ ସାମିଲ ହେବେ । ୮ ବଦଳରେ ଆସନ୍ତା ଏଡିସନରୁ ୧୦ଟି ଟିମ୍ ଲଢିବେ ଆଇପିଏଲ ତାଜ୍ ପାଇଁ । ବଡ କଥା ହେଉଛି, ଏଥିପାଇଁ ୬ଟି ସହରର ନାଁକୁ ସର୍ଟଲିଷ୍ଟ କରିଛି ବିସିସିଆଇ । ଅହମ୍ମଦାବାଦ୍, ଲକ୍ଷ୍ନୌ, ଧର୍ମଶାଳା, ଗୈାହାଟି, ରାଞ୍ଚି ଏବଂ କଟକ – ଏଭଳି ୬ଟି ସହରକୁ ନେଇ ନିଲାମୀ ଡକାଯିବ । ଏହି ୬ ସହରରୁ ୨ଟି ଟିମକୁ କିଏ କିଣିବେ ଏବଂ କେଉଁ ସହରକୁ ବାଛିବେ ସେନେଇ ଚର୍ଚ୍ଚା ବଢିଛି ।

ଏହାପୂର୍ବରୁ ଆଇପିଏଲରେ ସ୍ପଟ ଫିକ୍ସିଂକୁ ନେଇ ବିବାଦ ହେବା ପରେ ଚେନ୍ନାଇ ଏବଂ ରାଜସ୍ଥାନ ଦଳକୁ ଆଇପିଏଲର ୨ଟି ସିଜିନରୁ ବାଦ୍ ଦିଆଯାଇଥିଲା । ଏମାନଙ୍କ ସ୍ଥାନରେ ଦୁଇଟି ଟିମ୍ ପାଇଁ ହୋଇଥିଲା ନିଲାମୀ । ୨୦୧୬ ଓ ୨୦୧୭ ଦୁଇଟି ସିଜିନ୍ ପାଇଁ ଖେଳିଥିଲେ ପୁଣେ ସୁପର୍ ଜ୍ୟାଣ୍ଟ ଏବଂ ଗୁଜୁରାଟ ଲାୟନ୍ସ । ହେଲେ ଏହି ଦୁଇ ଟିମର ଅବଧିକୁ ଆଉ ପରବର୍ତ୍ତୀ ସମୟରେ ବଢାଯାଇନଥିଲା । ଯଦିଓ ୧୦ଟି ଟିମ୍ କରିବାକୁ ବିସିସିଆଇ ଘୋଷଣା କରିଥିଲା ହେଲେ ଏହା ଅଟକିଯାଇଥିଲା । ଏବେ ଦୁଇଟି ନୁଆ ଟିମ୍ ପାଇଁ ବେସ୍ ପ୍ରାଇସ୍ ରହିଛି ୨୦୦୦ କୋଟି । ଅର୍ଥାତ୍ ଟିମ୍ କିଣିବାକୁ ହେଲେ ଏହି ପରିମାଣର ଅର୍ଥ ପ୍ରଥମେ ଖର୍ଚ୍ଚ କରିବାକୁ ପଡିବ । ଏହାପରେ ଦଳ ତିଆରି କରିବା ଠାରୁ ଆରମ୍ଭ କରି ଅନ୍ୟ ଖର୍ଚ୍ଚ ବି ରହିଛି । ତେଣୁ କଟକ ଟିମକୁ କିଣିବାକୁ କିଏ ଆଗ୍ରହ ଦେଖାଇବ, ତାକୁ ନେଇ ଚର୍ଚ୍ଚା ।

୨୦୧୦ରେ ସାହାରା ୱାରିୟର୍ ଏବଂ କୋଚି ଟସ୍କର୍ସ କେରଳ ଯଥାକ୍ରମେ ୧୭୦୦ ଓ ୧୫୦୦ କୋଟି ଖର୍ଚ୍ଚରେ ସାମିଲ ହୋଇଥିଲେ । ସେହିଭଳି ୨୦୧୬ରେ ସାମିଲ ହୋଇଥିବା ଦୁଇ ଟିମ୍ ମଧ୍ୟ ଆଉ ଆଇପିଏଲକୁ ଆସିପାରିନଥିଲେ । ତେଣୁ ଅନୁମାନ କରାଯାଉଛି, ଏହି ଟିମ ପଛରେ ଥିବା ଶିଳ୍ପପତି ଏବଂ ସଂସ୍ଥା ନୂଆ ଟିମ କିଣିବାକୁ ସର୍ବାଧିକ ଆଗ୍ରହ ଦେଖାଇ ପାରନ୍ତି । ଅନ୍ୟପଟେ ବିସିସିଆଇରେ ଓସିଏର ଦବଦବା ରହିଛି । ପୁର୍ବାଞ୍ଚଳ ଜୋନରୁ ଯେତେବେଳେ ସୈାରଭ ଗାଙ୍ଗୁଲି ବିସିସିଆଇ ସଭାପତି ହେଲେ ସେତେବେଳେ ଓସିଏ ଦୃଢ ଭାବେ ସମର୍ଥନ ଦେଇଥିଲା । ଏପରିକି ସଂପାଦକ ଜୟ ଶାହାଙ୍କ ସହ ମଧ୍ୟ ଟିମ୍ ଓସିଏର ଭଲ ଲିଙ୍କ ରହିଛି । ତେଣୁ କଟକର ନାଁ ବିସିସିଆଇ ସର୍ଟଲିଷ୍ଟରେ ଥିବା କୁହାଯାଉଛି ।

ଓଡିଶାରୁ ଯଦି କେହି ଟିମ୍ କିଣିବା ପାଇଁ ଆଗ୍ରହ ଦେଖାନ୍ତି ତେବେ ସେମାନଙ୍କୁ ୨୦୦୦ କୋଟି ବେସ୍ ପ୍ରାଇସ୍ ସହ ନିଲାମୀରେ ସାମିଲ ହେବାକୁ ପଡିବ । ଅକ୍ଟୋବର ୨ ବିଡିଂର ଶେଷ ଦିନ ଥିବା ସୂଚନା ମିଳିଛି । ଏଭଳି ହେଲେ କଟକ ନାଁରେ ଆଇପିଏଲରେ ଟିମ୍ ସାମିଲ ହୋଇପାରେ । ନଚେତ ଯଦି ବାହରର କେଉଁ ସଂସ୍ଥା କଟକ ନାଁରେ ଟିମ୍ ଗଠନ କରିବାକୁ ଚାହିଁବ, ତେବେ କଟକ ନାଁକୁ ଯୋଡି କୈାଣସି ଦଳ ଆଇପିଏଲ ମୈଦାନକୁ ଓହ୍ଲାଇବାର ସମ୍ଭାବନା ସୃଷ୍ଟି ହେବ ।