ଚିକିତ୍ସା ଅଭାବରୁ ଘରେ ପଡି ଯନ୍ତ୍ରଣା ଭୋଗୁଛନ୍ତି ନିଆଳିର ଅଭାବୀ ଅଭୟ : ପାଠ ସାଠ ଛାଡି ବାପାଙ୍କ ସେବା କରୁଛି କୁନି ପୁଅ

 କ୍ୟାନସର ରୋଗର ଚିକିତ୍ସା ପାଇଁ ନାହିଁ ଆର୍ଥିକ ସମ୍ବଳ; ମାଗିଯାଚି ଦାନା ଦେଉଛନ୍ତି ସ୍ତ୍ରୀ

110

କନକ ବ୍ୟୁରୋ : କଟକ ନିଆଳି ବ୍ଲକ ମହଙ୍ଗପଡା ଗାଁର ୪୧ ବର୍ଷିୟ ଅଭୟ ଜେନା । ଦିନ ମଜୁରିଆ ଭାବେ କାମ କରି ପୁଅ ଓ ସ୍ତ୍ରୀଙ୍କ ମୁହଁରେ ଆହାର ଦେଉଥିବା ଅଭୟ ଏବେ ମୁଖ ଗହ୍ୱର କର୍କଟରେ ପୀଡିତ । ବାପା ରୋଗ ଶଯ୍ୟାରେ ପଡି ଯିବା ପରେ ବାପାଙ୍କ ସେବା ସୁସସା କରୁଛି କୁନି ପୁଅ । ମାଆ ପର ଘରୁ ମାଗିଯାଚି ଆଣି ଖାଇବାକୁ ଦେଉଥିବା ବେଳେ ବାପାଙ୍କ ପାଖରେ ଜଗି ରହୁଛି ପୁଅ । ଏବେ ଧିରେ ଧିରେ ଅଭୟଙ୍କ ଅବସ୍ଥା ବିଗିଯାଉଥିବା ବେଳେ ସହାୟତା ପାଇଁ ନିବେଦନ କରିଛନ୍ତି ସ୍ତ୍ରୀ ବନିତା ।

ବିଛଣାରେ ପଡିଛନ୍ତି ଅଭାବୀ ଅଭୟ । ସେବା କରୁଛନ୍ତି ସ୍ତ୍ରୀ ଓ କୁନି ପୁଅ । ୧୧ ମାସ ହେବ କର୍କଟ ରୋଗରେ ପୀଡିତ କଟକ ନିଆଳି ବ୍ଲକ ମହଙ୍ଗପଡା ଗାଁର ଅଭୟ ଜେନା । ଅଭୟ କ୍ୟାନସର ପୀଡିତ ହେବା ପରେ ଧାର କରଜ କରି ଚିକିତ୍ସା ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ସ୍ତ୍ରୀ ବନିତା । ହେଲେ ଏବେ ଆଉ ପାଖରେ କାଣି କଉଡିଟିଏ ନାହିଁ । ତେଣୁ ଘରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅଭୟ । ଆଉ ବାପାଙ୍କୁ ଦେଖି ଭାଙ୍ଗି ପଡିଛି କୁନି ପୁଅ ।

ଦିନକୁ ଦିନ ଯନ୍ତ୍ରଣା ବଢୁଛି । ଏବେ ଅଭୟଙ୍କ ଦୁଇ ଗୋଡ ଅଚଳ ହେବା ସହ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଛି । ରୋଗାକ୍ରାନ୍ତ ଅଭୟଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ମାସକୁ ୧୫ କେଜି ରାସନ ଚାଉଳ ମିଳୁଛି । ସେଥିରେ ୩ ପ୍ରାଣୀ କୁଟୁମ୍ବ କଷ୍ଟମଷ୍ଟେ ଚଳୁଥିବା ବେଳେ ସ୍ୱାମୀଙ୍କ କ୍ୟାନସର ଚିକିତ୍ସା କେମିତି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଅଭୟଙ୍କ ସ୍ତ୍ରୀ । ସରକାରୀ ସ୍ତରରେ ହେଉ ବା କେହି ବଦାନ୍ୟ ବ୍ୟକ୍ତି ସାହାଯ୍ୟ କଲେ ସ୍ୱାମୀଙ୍କ ଚିକିତ୍ସା ହୋଇପାରନ୍ତା ବୋଲି ଆଶା ବାନ୍ଧିିଛନ୍ତି ବନିତା ।