ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ ତାଲିକା । କଳା, ବାଣିଜ୍ୟ ଓ ବିଜ୍ଞାନରେ ଆଗରେ ରେଭେନ୍ସା ।

259

କନକ ବ୍ୟୁରୋ : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ନାମ ଲେଖା ପାଇଁ କଟଅଫ୍ ମାର୍କ ତାଲିକା । ତିନୋଟି ଯାକ ବିଭାଗ, କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସାର କଟଅଫ୍ ମାର୍କ ସର୍ବାଧିକ ରହିଛି । ୧୪ ରୁ ୨୧ ପର୍ଯ୍ୟନ୍ତ ଚାଲିବ ନାମଲେଖା ।

ବଢିଲା ପାସ ହାର, ବଢିଲା କଟ୍ ଅଫ୍ । ତିନୋଟି ଷ୍ଟ୍ରିମରେ ଆଗୁଆ ରେଭେନ୍ସା । ଚଳିତ ବର୍ଷ ବିକଳ୍ପ ମୂଲ୍ୟାୟନ ଦ୍ୱାରା ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ପାସହାର ରହିଥିଲା, ଏବେ କଟ-ଅଫ ମାର୍କ ମଧ୍ୟ ବଢିଲା । ଗତବର୍ଷ ତୁଳନାରେ ଚଳିତବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟ-ଅଫ ମାର୍କରେ ବୃଦ୍ଧି ହୋଇଛି ।

ଛାତ୍ରଛାତ୍ରୀମାନେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ରେଭେନ୍ସାକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରିଛନ୍ତି । ଏବଂ ରାଜ୍ୟର ସର୍ବାଧିକ କଟ-ଅଫ ଭାବେ ପ୍ରଥମ ସ୍ଥାନ ନେଇଛି ଏହି ମହାବିଦ୍ୟାଳୟ । କଳା, ବାଣିଜ୍ୟ ଏବଂ ବିଜ୍ଞାନରେ ସର୍ବାଧିକ କଟ-ଅଫ ରହିଛି ରେଭେନ୍ସାର । ବିଜେବି ଜୁନିଅର କଲେଜ କଳା ଓ ବିଜ୍ଞାନରେ ଦ୍ୱିତୀୟ ଏବଂ ବାଣିଜ୍ୟରେ ଚତୁର୍ଥ ସ୍ଥାନରେ ରଖିଛନ୍ତି ଛାତ୍ରଛାତ୍ରୀ । ନିଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରହ୍ମପୁର ବିଜ୍ଞାନରେ ତୃତୀୟ ସ୍ଥାନରେ ରହିଥିବାବେଳେ କଟକର ଶୈଳବାଳା କଲେଜ କଳାରେ ଚତୁର୍ଥ ଏବଂ ବାଣିଜ୍ୟରେ ତୃତୀୟ ସ୍ଥାନରେ ରହିଛି । ସେହିଭଳି ରାଜଧାନୀର ରମାଦେବୀ ଜୁନିଅର କଲେଜ ବିଜ୍ଞାନରେ ୧୦ମ ଏବଂ ବାଣିଜ୍ୟରେ ସପ୍ତମରେ ରହିଛି ।

ପ୍ରକାଶ ପାଇଥିବା କଟ ଅଫରେ ଆସନ୍ତା ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ଆସନ୍ତା ୨୭ରେ ପ୍ରକାଶ ପାଇବ ଏବଂ ୨୯ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ନାମ ଲେଖାଯିବ । ବଳକା ସିଟ ପାଇଁ ଅକ୍ଟୋବର ୪ରେ ତାଲିକା, ୫ରେ ମେରିଟ ଲିଷ୍ଟ ପରେ ୭ ତାରିଖରେ ନାମ ଲେଖା ହେବ ।