କନକ ବ୍ୟୁରୋ : ଆଜିର ଡିଜିଟାଲ ଯୁଗରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗୁରୁତ୍ୱ ଦିଆଯାଉଛି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ ପରାମର୍ଶ ଦେଇଛି। ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସୂତ୍ରରୁ ଏହା ଜଣାଯାଇଛି।
ଆଇଆରଡିଏଆଇ ପକ୍ଷରୁ କୁହାଯାଇଛି, ଦେଶର ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି ସବୁ ବୀମା କମ୍ପାନି ସେମାନଙ୍କ ଆଇଟି ବ୍ୟବସ୍ଥାକୁ ଡିଜିଲକର ସୁବିଧା ସହିତ ଯୋଡ଼ନ୍ତୁ। ଏହାହେଲେ ପଲିସିଧାରୀମାନେ ସେମାନଙ୍କ ବୀମା ପଲିସି ସଂକ୍ରାନ୍ତ ଦସ୍ତାବିଜକୁ ଡିଜିଲକରରେ ସଂରକ୍ଷିତ କରି ରଖିପାରିବେ। ଆଇଆରଡିଏଆଇ ପକ୍ଷରୁ ଏ ସଂକ୍ରାନ୍ତ ସର୍କୁଲାର ଚଳିତମାସ ୯ ତାରିଖରେ ଜାରି କରାଯାଇଛି।
କେବଳ ସେତିକି ନୁହେଁ, ବୀମା କମ୍ପାନି ଗୁଡ଼ିକ ମଧ୍ୟ ସେମାନଙ୍କ ପଲିସିଧାରୀମାନଙ୍କୁ ଡିଜିଲକର ସଂପର୍କରେ ସୂଚନା ପ୍ରଦାନ କରିବେ। ଏଥିସହିତ ତାହାକୁ କିଭଳି ବ୍ୟବହାର କରିବେ ସେ ନେଇ ମଧ୍ୟ ସଚେତନ କରିବେ ବୋଲି ଏଥିରେ କୁହାଯାଇଛି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟର ନ୍ୟାସନାଲ ଇ-ଗଭର୍ଣ୍ଣାନ୍ସ ଡିଭିଜନରେ କାର୍ଯ୍ୟ କରୁଥିବା ଡିଜିଲକର ଟିମ୍ ମଧ୍ୟ ଡିଜିଲକରର ଯେଭଳି ବହୁଳ ବ୍ୟବହାର ହେବ ସେ ସଂକ୍ରାନ୍ତରେ ଆବଶ୍ୟକ ବୈଷୟିକ ପରାମର୍ଶ ଓ ସହାୟତା ଯୋଗାଇ ଦେବାକୁ କୁହାଯାଇଛି।
ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ଡିଜିଲକର ପଦକ୍ଷେପ ଆରମ୍ଭ କରିଛି। ଫଳରେ କାଗଜପତ୍ର ପରିବର୍ତ୍ତେ ଇଲେକ୍ଟ୍ରୋନିକ୍ସ ରୂପରେ ତଥ୍ୟଗୁଡ଼ିକୁ ଏଥିରେ ସାଇତି ରଖାଯାଇ ପାରୁଛି। ସେହିଭଳି ଗ୍ରାହକଙ୍କୁ ତ୍ୱରିତ ସେବା ପ୍ରଦାନ ମଧ୍ୟ ଏହାଦ୍ବାରା ସମ୍ଭବ ହୋଇପାରୁଛି। ଗ୍ରାହକଙ୍କୁ ମଧ୍ୟ ଆଉ ସେମାନଙ୍କ ସାଥିରେ କାଗଜପତ୍ର ନେବାକୁ ପଡ଼ୁନାହିଁ। ବୀମା କ୍ଷେତ୍ରରେ ଡିଜିଲକରର ବ୍ୟବହାର ବୃଦ୍ଧି ପାଇଲେ ଖର୍ଚ୍ଚ ହ୍ରାସ ପାଇବ। ପଲିସି କପି ନମିଳିବା ନେଇ ଅଭିଯୋଗ ହ୍ରାସ ପାଇବ। ଏଥିସହିତ ବୀମା ସେବା କମ୍ ସମୟ ମଧ୍ୟରେ ପ୍ରଦାନ କରାଯାଇ ପାରିବ। ସେହିଭଳି ଗ୍ରାହକମାନେ ମଧ୍ୟ କମ୍ ସମୟ ମଧ୍ୟରେ ସେମାନଙ୍କ ଅଭିଯୋଗର ସମାଧାନ ପାଇପାରିବେ। ବିବାଦ ଏବଂ ଜାଲିଆତି ହ୍ରାସ ପାଇବ। ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ସହଜ ହେବ ବୋଲି କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/digilocker-cbse-result-2020-date-660x330.jpg)