କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଗ୍ରାହକ ସେବା କେନ୍ଦ୍ର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରୁ ଆସିଲା ଚିତ୍ର । ଗାଁ ନେଟୱାର୍କ ନଥିବାରୁ ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ଅନଲାଇନ ସେବା । ବାଲନ୍ଦାପଡା ପଞ୍ଚାୟତର କେନ୍ଦୁଗୁଡାସାହିରେ ଆଜି ପର୍ଯ୍ୟନ୍ତ ନାହିଁ ନେଟୱାର୍କ । ଘଂଚ ଜଙ୍ଗଲ ଭିତରେ ଏକ ନିଦ୍ଧିଷ୍ଟ ସ୍ଥାନରେ ବେଳେବେଳେ ନେଟୱାର୍କ ଆସୁଥିବାରୁ ସେହି ସ୍ଥାନରେ ଗାଁଲୋକମାନେ ମଂଚ ତିଆରି କରିଛନ୍ତି । ବାଲନ୍ଦପଡାରେ ଗ୍ରାହକ ସେବାକେନ୍ଦ୍ରରେ ଥିବା ୨ ଯୁବକ ଏହି ଗାଁକୁ ଆସି ଜଙ୍ଗଲ ଭିତରେ ଲୋକଙ୍କୁ ସୁବିଧା ଯୋଗାଉଛନ୍ତି । କାଳିଆ ଯୋଜନା ଠାରୁ ଆରମ୍ଭ କରି କୃଷକ ଓଡିଶାରେ ନାମ ପଂଜିକରଣ କାମ କରୁଛନ୍ତି । ଅନଲାଇନ କାମ ପାଇଁ ଗାଁଲୋକମାନେ ଜଙ୍ଗଲ ଭିତରେ ବସିଛନ୍ତି । ହେଲେ ସିଗନାଲ ମଧ୍ୟ ଜଙ୍ଗଲ ଭିତରେ ପଳେଇବାରୁ ଗାଁ ଲୋକଙ୍କୁ କାମ କରିବାକୁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡ଼ୁଛି ।
ଏଭଳି ସ୍ଥିତିରେ ଅନ୍ୟ ଉପାୟ ନପାଇ ଗ୍ରାମବାସୀମାନେ ଦିନ ତମାମ ନଖାଇ ନପିଇ ଏହି ଜଙ୍ଗଲରେ ଅନଲାଇନ କାମ ପାଇଁ ଜଗି ରହୁଛନ୍ତି । ଏହି ଯୁବକ ପରିଚାଳକ କେବଳ ଯେ କେନ୍ଦ୍ୁଗୁଡା ସାହି ନିକଟ ଜଙ୍ଗଲରେ ଏଭଳି ଜଙ୍ଗଲ ସେବା କେନ୍ଦ୍ର କରି ଲୋକଙ୍କୁ ଅନଲାଇନ ସେବା ଯୋଗାଉନାହାନ୍ତି ବରଂ ଏହିଭଳି ପ୍ରାୟ ସମୟରେ ସେମାନେ ନିଜ ବାଇକରେ ବିଭିନ୍ନ ଗାଁକୁ ଯାଆନ୍ତି । ଜଙ୍ଗଲ ପାହଡ ଗୁଡିକରେ ଯେଉଁଠି ଇଣ୍ଟରନେଟ ସିଗନାଲ ଆସୁଥିବ ସେହି ନିର୍ଦ୍ଦିଷ୍ଟ ଜାଗାରେ ବସି ଲୋକଙ୍କୁ ଅନଲାଇନ ସେବା ଯୋଗାଉଛନ୍ତି ।
Follow Us