ଶ୍ରେଣୀଗୃହରେ ତାଲିବାନ ଟାଣିଲା ପରଦା, ସାମ୍ନାସାମ୍ନି ବସିପାରିବେନି ଛାତ୍ର-ଛାତ୍ରୀ ।

163

କନକ ବ୍ୟୁରୋ :ତାଲିବାନ କବଜାକୁ ଆଫଗାନିସ୍ତାନ ଆସିବା ପରେ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା । ଯେଉଁଥିରେ ବିଶ୍ୱବିଦ୍ୟାଳୟ ଓ କଲେଜର ଛାତ୍ର ଓ ଛାତ୍ରୀଙ୍କ କ୍ଲାସ ଭିନ୍ନ ଭିନ୍ନ ରହିବ ବୋଲି କୁହାଯାଇଥିଲା ଏବଂ ଯଦି ଏହା ସମ୍ଭବପର ନହୁଏ ତେବେ ଶ୍ରେଣୀଗୃହରେ ପରଦା ଢାଙ୍କିବା ଆବଶ୍ୟକ ବୋଲି ଫତୱା ଜାରି କରାଯାଇଥିଲା । ଆଉ ଏବେ ଆଫଗାନିସ୍ତାନର ଏକ କଲେଜର ଚିତ୍ର ଭାଇରାଲ ହୋଇଛି ଯେଉଁଥିରେ କ୍ଲାସରୁମ ଭିତରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ଢଙ୍କା ଯାଇଛି । ଆଫଗାନିସ୍ତାନର ନ୍ୟୁଜ ଏଜେନ୍ସି ଆମଜ ନ୍ୟୁଜର ସୋସିଆଲ ମିଡ଼ିଆରେ ଏନେଇ କିଛି ଫଟୋ ଭାଇରାଲ ହୋଇଛି ।

ଶ୍ରେଣୀଗୃହରେ ପରଦା ଢଙ୍କା ଯାଇଥିବା ବେଳେ ଛାତ୍ର ଓ ଛାତ୍ରୀଙ୍କୁ ଅଲଗା ଅଲଗା ବସାଯାଇଛି । ଏହାପୂର୍ବରୁ ତାଲିବାନ ପକ୍ଷରୁ ଫତୱା ଜାରି କରି କୁହାଯାଇଥିଲା ଯେ, ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ମହିଳା ଅଧ୍ୟାପକ ନିଯୁକ୍ତି କରିବାର ଆବଶ୍ୟକତା ରହିଛି । ଯଦି ଏହା ସମ୍ଭବପର ନହୁଏ ତେବେ କୌଣସି ବୟସ୍କ କିମ୍ବା ଭଲ ଚରିତ୍ର ଥିବା ପୁରୁଷ ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇପାରିବ । ଭାଇରାଲ ହୋଇଥିବା ଫଟୋରେ ମଧ୍ୟ ଜଣେ ଅଧ୍ୟାପକ ପାଠ ପଢାଉଥିବାର ଦେଖିବାକୁ ମିଳିଛି ।

ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଫତୱା ଜାରି କରି କହିଥିଲା ଯେ, କଲେଜ, ବିଶ୍ୱବିଦ୍ୟାଳୟରେ ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ରହିବ । ଏହାଛଡା ଛାତ୍ରଙ୍କ ସହ ଛାତ୍ରୀ ମାନଙ୍କ ମିଶିବା ଉପରେ ବାରଣ କରାଯାଇଛି । ଛାତ୍ର ମାନେ କ୍ୟାମ୍ପସ ନଛାଡିବା ପର୍ୟ୍ୟନ୍ତ ଛାତ୍ରୀ ମାନେ ଅପେକ୍ଷା କରି ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲା ତାଲିବାନ । ୨୦ ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ ସରକାର ଚାଲୁଥିବା ବେଳେ ମହିଳାଙ୍କ ପାଠପଢା ଓ ଚାକିରି ଉପରେ ପ୍ରତିବନ୍ଧକ ଲଗାଇଥିଲା । ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାର କଟକଣା ଲଗାଇଥିଲା ତାଲିବାନ । ଯେଉଁଥିପାଇଁ ଏବେ ତାଲିବାନ ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବେଳେ ମହିଳା ମାନେ ବେଶ ଭୟଭୀତ ହୋଇପଡିଛନ୍ତି ।