ସହର ପାଖ ରାଜସ୍ୱ ଗାଁରେ କଲବଲ କଲା ପଥର ଖାଦାନ । ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଇଲା କ୍ରସର । କଥା ଓ ବ୍ୟଥାକୁ ବୁଝିଲାନି ପ୍ରଶାସନ ।

54

କନକ ବ୍ୟୁରୋ: ଘରଦ୍ୱାର ଅଛି, ନଳ କୂଅ, ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ବି ଅଛି । ରାଜସ୍ୱ ଗାଁକୁ ସରକାର କଂକ୍ରିଟ ରାସ୍ତା ବି କରିଛନ୍ତି । କିନ୍ତୁ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି । ଅନେକ ଲୋକ ତ ଗାଁ ଛାଡି ବିସ୍ଥାପନ ଜୀବନ ବିତାଉଛନ୍ତି । କାରଣ ଗ୍ରାମବାସୀଙ୍କୁ କଲବଲ କରୁଛି ଗାଁ ପାଖରେ ଥିବା ଦୁଇଟି କ୍ରସର । ଆଉ ପ୍ରଶାସନିକ ବାବୁ କ୍ରସର ମାଲିକଙ୍କୁ ଅନୁକମ୍ପା ଦେଖାଇ ଗ୍ରାମବାସୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।

ବଲାଙ୍ଗିର ସହରରୁ ୧୨ କିଲୋମିଟର ଦୂର ଟିଟିଲାଗଡ ରାସ୍ତାର ବାମ ପଡେ ମଠଖାଇ ପାହାଡ । ଆଉ ଏହି ପାହାଡର ପାଦ ଦେଶରେ ରହିଛି ରାଜ୍ୟ ସରକାରଙ୍କ ରାଜସ୍ୱ ଗାଁ ବାସୁପାଲି । ଏଠାରେ ଅଙ୍ଗନବାଡି କେନ୍ଦ୍ର, ସ୍କୁଲ, ନଳକୂପ, କୂଅ ରହିଛି । ଗାଁକୁ କଂକ୍ରିଟ ରାସ୍ତା ଲମ୍ବିଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ବି ତିଆରି ହୋଇଛି । କିନ୍ତୁ ଗାଁରେ ରହିବାକୁ ଚାହୁଁନାହାନ୍ତି ଗ୍ରାମବାସୀ । କିଛି ଲୋକ ତ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ଆଉ ଏସବୁ କାରଣ ହେଉଛି, ଗ୍ରାମବାସୀଙ୍କ ଜୀବନ ଜୀବିକାକୁ ଦୁର୍ବିସହ କରି ପକାଇଛି ଗାଁକୁ ଲାଗି କରିଥିବା ଦୁଇଟି କ୍ରସର ଓ ପଥରଖାଦାନ ।

ରାତିରେ ପଥର ବ୍ଲାଷ୍ଟିଂ ଆଉ ଦିନରେ କ୍ରସରରେ ପଥର କାଟି ଗାଡିଗାଡି କରି ବୋହି ନେଉଛନ୍ତି କ୍ରସର ମାଲକ । ଫଳରେ ଘରଦ୍ୱାର ଧୂଳିରେ ପୋତି ହୋଇପଡିଛି, ଘରୁ ବାହାରିବା ମୁସ୍କିଲ ହୋଇପଡିଲା । ତେଣୁ ବାସୁପାଲି ଗାଁ ଛାଡି ସୁରଡିଙ୍ଗୁରିରେ ମୁଣ୍ଡ ଗୁଂଜିଛନ୍ତି ଲୋକେ । ଏଠି ବି କ୍ରସର ଧୂଳିରୁ ମୁକ୍ତି ନାହିଁ । ସହରର ବଡବାବୁଙ୍କ ନାକ ତଳେ ଥିବା ଗାଁରେ ଲୋକେ ଦୁର୍ଦିନରେ ରହୁଥିଲେ ମଧ୍ୟ ସବୁ ଜାଣିଶୁଣି ଚୂପ ବସିଛିି ପ୍ରଶାସନ । କ୍ରସର ମାଲିକଙ୍କୁ ଅନୁକମ୍ପା ଦେଖାଇ ଗରିବ ଲୋକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି, ଖୁବ୍ଶୀଘ୍ର ତଥ୍ୟ ସଂଗ୍ରହ କରାଯାଇ, ଏହାର ସମାଧାନ କରାଯିବ । ସମସ୍ୟାକୁ ନେଇ ବର୍ଷ ବର୍ଷ ଧରି ତହସିଲଦାର ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିନ୍ତୁ ଏମାନଙ୍କ କଥା ଓ ବ୍ୟଥା କାହାକୁ ଦେଖାଯାଉ ନାହିଁ ।