ସରକାରୀ ଯୋଜନା ଆତ୍ମସାତର ସାଂଘାତିକ ଅଭିଯୋଗ । ଅଣ୍ଡା, ଛତୁଆ ପାଇଁ ଫସିଲେ ଅଙ୍ଗନୱାଡି କର୍ମୀ, ଗଣିବେ ୨ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା ।

4,619

କନକ ବ୍ୟୁରୋ : କାକଟପୁରରେ ସାମ୍ନାକୁ ଆସିଛି ଅଙ୍ଗନବାଡି କର୍ମୀଙ୍କ କେଳେଙ୍କାରୀ । ମାସ ମାସ ଧରି ଜାଲ୍ ଦସ୍ତଖତରେ ଆତ୍ମସାତ୍ କରି ଆସୁଥିଲେ ଛୋଟ ଛୋଟ ପିଲାଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଛତୁଆ । ପ୍ରଶାସନ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ । ଘଟଣାରେ ଆକ୍ସନ ମୁଡକୁ ଆସିଛି ପୁରୀ ପ୍ରଶାସନ । ସଂପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ଆତ୍ମସାତ ହୋଇଥିବା ସାମଗ୍ରୀର ୧୦ ଗୁଣା ବଜାର ମୂଲ୍ୟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଅଣ୍ଡା ଛତୁଆ ପାଇଁ ଫସିଲେ ଅଙ୍ଗନୱାଡି କର୍ମୀ । ଗଣିବେ ୨ ଲକ୍ଷ ୮୩ ହଜାର ଟଙ୍କାର ଜରିମାନା । ସରକାରୀ ଯୋଜନାର ଆତ୍ମସାତର ଏପରି ଖବର ଆସିଛି ପୁରୀ ଜିଲ୍ଲା କାକଟପୁର ବ୍ଲକର ବାଙ୍ଗୁରୀଗାଁ ଅଙ୍ଗନୱାଡି କେନ୍ଦ୍ରରୁ । ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଲୁଟ୍ ସାମଗ୍ରୀର ୧୦ ଗୁଣା ଜରିମାନା ଗଣିବାକୁ ରାୟ ଶୁଣାଇଛନ୍ତି ପୁରୀ ଉପଜିଲ୍ଲାପାଳ । ବାଙ୍ଗୁରୀଗାଁ ଅଙ୍ଗନୱାଡି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ସୌଦାମିନୀ ବେହେରାଙ୍କ ନାଁରେ ଜାଲି ଦସ୍ତଖତରେ ୧୪୨ ପ୍ୟାକେଟ୍ ଛତୁଆ ଓ ୫୧୩ଟି ଅଣ୍ଡା ଆତ୍ମସାତର ଅଭିଯୋଗ ରହିଛି । ୭ ଦିନ ଭିତରେ ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଣ୍ଡା ଛତୁଆକୁ ଜାଲ ଦସ୍ତଖତ ଜରିଆରେ ସେ ଆତ୍ମସାତ୍ କରିଥିବା ଧରାପଡିଛି । ୧୪୨ ଛତୁଆ ପ୍ୟାକେଟର ବଜାର ମୂଲ୍ୟ ୨୫ ହଜାର ୨୮୫ ଟଙ୍କା । ୫୧୩ଟି ଅଣ୍ଡାର ବଜାର ମୂଲ୍ୟ ୨୭୧୯ ଟଙ୍କା । ଅଙ୍ଗନୱାଡି କର୍ମୀ ଜରିମାନା ଗଣିବେ ଏହାର ୧୦ ଗୁଣା । ଅର୍ଥାତ୍  ଜରିମାନା ଗଣିବେ ୨ ଲକ୍ଷ ୮୩ ହଜାର ୩୯ ଟଙ୍କା ।

ପ୍ରଶାସନର ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ସଂପୃକ୍ତ ଅଙ୍ଗନୱାଡି କର୍ମୀ ସୌଦାମିନୀ ବେହେରା । ଘଟଣାକୁ ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହିବା ସହ ତାଙ୍କ କେନ୍ଦ୍ରକୁ ପରିଦର୍ଶନରେ ଆସୁଥିବା ଅଧିକାରୀଙ୍କ ଦକ୍ଷତା ଉପରେ ସେ ଉଠାଇଛନ୍ତି ପ୍ରଶ୍ନଚିହ୍ନ । ବାଙ୍ଗୁରୀଗାଁର ୧୦ ନମ୍ୱର ୱାର୍ଡ ସଭ୍ୟ ପାର୍ଥ ବେହେରା ଏହି ଜାଲିଆତି ସମ୍ପର୍କରେ ପ୍ରଶାସନ ନିକଟରୁ ନ୍ୟାୟ ନପାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଆଉ ଏହା ପରେ ତଦନ୍ତରେ ଗୁମର ଖୋଲିଛି ।