ଏମ୍ସ ନିର୍ଦ୍ଦେଶକଙ୍କ ବୟାନ: କହିଲେ ବର୍ତମାନ କରୋନାର ୨ଟି ଡୋଜ୍ ପ୍ରାଥମିକତା, ବୁଷ୍ଟର ଡୋଜର ନାହିଁ ଆବଶ୍ୟକତା

144

କନକ ବ୍ୟୁରୋ: ୟୁରୋପ, ଆମେରିକାରେ ସଂକ୍ରମଣ ବଢୁଛି । ଆଉ ଭାରତରେ ଧିରେ ଧିରେ କମୁଛି କରୋନାର ପ୍ରକୋପ । ଏହାରି ଭିତରେ ଦେଶରେ ତୃତୀୟ ଲହରର ଆଶଙ୍କା ନଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଏହାସହ ଲୋକଙ୍କୁ ବୁଷ୍ଟର ଡୋଜ୍ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ ।

ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଏପରି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ଦେଶରେ ଏବେ କରୋନାର ପ୍ରକୋପ ଧିରେ ଧିରେ କମୁଛି । ସେହପରି ତୃତୀୟ ଲହରର ପ୍ରଭାବ ମଧ୍ୟ ସେତେଟା ପରିଲକ୍ଷିତ ହେଉନାହିଁ । କଟକଣାକୁ ମଧ୍ୟ ଧିରେଧିରେ କୋହଳ କରାଯାଉଛି । ଏହାରି ଭିତରେ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବା ନେଇ କେନ୍ଦ୍ର ସରକାର ବିଚାର ମଧ୍ୟ କରୁଛନ୍ତି । ହେଲେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି

– “ବର୍ତ୍ତମାନ ପରିସ୍ଥିତିରେ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ.. ବରଂ ଅଧିକରୁ ଅଧିକ ଲୋକଙ୍କୁ କରୋନାର ଉଭୟ ଡୋଜ୍ ଟିକା ଦେବାର ଆବଶ୍ୟକତା ରହିଛି । ସେହିପରି ଦିନ ବିତିବା ସହ ସାମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟ କମି କମି ଚାଲିଛି । ଟିକାକରଣ ଅଭିଯାନ ଜୋରଦାର ଚାଲିଛି.. ଆଉ ଏଥିପାଇଁ ଦେଶରେ କରୋନାର ଆତଙ୍କ ମଧ୍ୟ କମ ହେବାରେ ଲାଗିଛି ।”
ସେପଟେ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍ର ଦୁଇଟି ଡୋଜ୍ ୫୦ ପ୍ରତିଶତ ପ୍ରଭାବଶାଳୀ । ଲାନ୍ସେଟ୍ ଇନ୍ଫେକ୍ସନ୍ ଡିଜିଜ୍ ଜର୍ଣ୍ଣାଲରେ ଏନେଇ ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଭ୍ୟାକ୍ସିନ୍ର ରିୟଲ ୱାର୍ଲ୍ଡ ଆସେସ୍ମେଂଟରେ ଏହି ଦାବି କରାଯାଇଛି ।

୧୫ ଏପ୍ରିଲରୁ ୧୫ ମେ’ ମଧ୍ୟରେ ଦିଲ୍ଲୀ ଏମ୍ସର ୨ ହଜାର ୭୧୪ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏହି ଷ୍ଟଡି କରାଯାଇଥିଲା । ଏମାନଙ୍କ କରୋନା ଲକ୍ଷଣ ରହିଥିଲା । ଭାରତରେ ଡେଲ୍ଡା ଭାଇରସ୍ର ପ୍ରଭାବ ଥିବା ବେଳେ ଏହି ଷ୍ଟଡି କରାଯାଇଥିଲା । ଏହି ସମୟରେ ଦେଶରେ ୮୦ ପ୍ରତିଶତ ମାମଲା ଡେଲ୍ଟା ଭାରିଆଂରୁ ହେଉଥିଲା । ଏହା ପୂର୍ବରୁ ଲାନ୍ସେଟ୍ ପକ୍ଷରୁ କୁହାଯାଇଥିଲା କି ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭାକ୍ସିନ୍ ୭୭ ଦଶମିକ ୮ ପ୍ରତିଶତ ପ୍ରଭାବଶାଳୀ ।

ଭାରତ ବାୟୋଟେକ୍ ଦ୍ୱାରା ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଓ ନେସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ମିଳିତ ଭାବେ କୋଭାକ୍ସିନ୍ ପ୍ରସ୍ତୁତ କରୁଛନ୍ତି । ସେପଟେ ୟୁରୋପରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଲାଣି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲୁଏଚ୍ଓର ସୂଚନା ଅନୁସାରେ ୟୁରୋପରେ ୭ ଲକ୍ଷ ଲୋକଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ବର୍ତମାନର ସ୍ଥିତିକୁ ଲକ୍ଷ୍ୟ କଲେ ଜଣାପଡ଼ୁଛି ଯେ, ଆସନ୍ତା ମାର୍ଚ୍ଚ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ଟପିପାରେ ।

ସପ୍ତାହେ ହେବ ପ୍ରତ୍ୟେକ ଦିନ ପାଖାପାଖି ୪ ହଜାର ୨ ଶହ ଲୋକଙ୍କ କରୋନାରେ ଜୀବନ ଯାଉଛି । ସେପ୍ଟେମ୍ବରରେ ଏହି ସଂଖ୍ୟା ଦୁଇ ଗୁଣ ବୃଦ୍ଧି ପାଇଛି । ଫଳରେ ୨୫ଟି ଦେଶର ହସ୍ପିଟାଲ ବେଡ୍ ଉପରେ ଅଧିକ ଚାପ ପଡିପାରେ । ସେହିପରି ମାର୍ଚ୍ଚ ସୁଦ୍ଧା ୫୩ଟି ଦେଶ ମଧ୍ୟରୁ ୪୯ଟି ଦେଶର ଆଇସିୟୁ ବେଡ୍ ଉପରେ ଅଧିକରୁ ଅଧିକ ଚାପ ପଡ଼ିପାରେ । ଆସନ୍ତାବର୍ଷ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା ୨୨ ଲକ୍ଷରେ ପହଂଚିବ ବୋଲି ଡବ୍ଲୁଏଚ୍ଓ ଆକଳନ କରିଛି ।