ମହାନଦୀରେ ମଧ୍ୟମ ଧରଣର ବନ୍ୟା କଥା ଦୋହରାଇଲେ ସରକାର

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଲେ, ମହାନଦୀରେ ନିମ୍ନରୁ ମଧ୍ୟମ ଧରଣର ବନ୍ୟା ହେବା ଆଶଙ୍କା; ଆସନ୍ତାକାଲି ଅପରାହ୍ଣରେ ମୁଣ୍ଡଳରେ ଅତିକ୍ରମ କରିପାରେ ୭ ଲକ୍ଷ କ୍ୟୁସେକ୍ ଜଳ

115

କନକ ବ୍ୟୁରୋ : ମହାନଦୀ ଅବବାହିକାରେ ଛୋଟ ଓ ମଧ୍ୟମ ଧରଣର ବନ୍ୟା ଆସିପାରେ । ଏହା କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ସେ କହିଛନ୍ତି, ହୀରାକୁଦରେ ୨୮ଟି ଗେଟ୍ ଖୋଲାଅଛି । ୪ ଲକ୍ଷରୁ ଅଧିକ କ୍ୟୁସେକ ଜଳ ଛଡାଯାଉଛି । ଛତିଶଗଡରେ ଅଧିକ ବର୍ଷା ହୋଇଛି । ତେଣୁ ଉପରମୁଣ୍ଡରେ ଅଧିକ ପାଣି ପାଉଛୁ । ଦେଢ ଦିନ ପରେ ବା ୩୬ ଘଂଟାରେ ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମ କର୍ତୃପକ୍ଷ ଛତିଶଗଡ ସହ ଯୋଗାଯୋଗରେ ଥିବା କହିଛନ୍ତି ଧୀରେନ ସାମଲ । ଏପଟେ କଟକ ମହାନଦୀରେ ବନ୍ୟା ପରିସ୍ଥିତ ଓ ବନ୍ୟାଜଳ ନିଷ୍କାସନ ନେଇ ଆଜି ମୁଣ୍ଡୁଳି ଓ ନରାଜରେ ସ୍ଥିତିର ସମୀକ୍ଷା କରିଛନ୍ତି ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ।

ଅନ୍ୟପକ୍ଷରେ, ଛତିଶଗଡ କରିପାରେ ଓଡିଶାରେ ବନ୍ୟା । ସୂଚନା ଅନୁସାରେ ଛତିଶଗଡର କଲମା ବ୍ୟାରେଜରୁ ପାଣି ଛଡାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି । କଲମା ବ୍ୟାରେଜରୁ ୫ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହେଉଛି । ହୀରାକୁଦ ଡ୍ୟାମରେ ଏହି ପାଣି ପଂହଚିବା ପାଇଁ ଆହୁରି ୫ରୁ ୭ ଘଂଟା ଲାଗିବ । ଏହାଫଳରେ ବନ୍ୟା ହୋଇପାରେ । ପାଣି ଆସିବା ଫଳରେ ଗର୍ଜୁଛି ମହାନଦୀ । ଏବେ ହୀରାକୁଦ ଜଳଭଣ୍ଡାରକୁ ୫ ଲକ୍ଷ ୨୬ ହଜାର ୩୨୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଜଳକା ଓ ବୈତରଣୀ ଏବେ ବି ବିପଦ ସଙ୍କେତ ଉପରେ ରହିଛି । ସୁବର୍ଣ୍ଣରେଖା ରାଜଘାଟଠାରେ ସତର୍କ ସଙ୍କେତ ଉପରେ ରହିଛି ଜଳସ୍ତର ।