ଜୋରଦାର ହେଲା ଦାବି…ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା : ଏବେ ଦ୍ୱନ୍ଦ୍ୱରେ ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ

ଏପ୍ରିଲ ୧୬ସୁଦ୍ଧା ସ୍ପଷ୍ଟ ହେବ ମାଟ୍ରିକ ପରୀକ୍ଷା ନିଷ୍ପତ୍ତି : ବାତିଲ କିମ୍ବା ବିକଳ୍ପ ବ୍ୟବସ୍ଥା କରିପାରେ ମାଧ୍ୟମିକ ଶିକ୍ଷା ପରିଷଦ

390

କନକ ବ୍ୟୁରୋ : ଦାବି ଜୋରଦାର ହେବା ପରେ ବାତିଲ ହେଲା ସିବିଏସଇ ବୋର୍ଡ ପରୀକ୍ଷା । ଦେଶରେ କୋଭିଡ ସଂକ୍ରମଣ ଲଗାତର ବଢୁଥିବାରୁ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ସ୍ଥଗିତ ହୋଇଛି ଦ୍ୱାଦଶ ଶ୍ରେଣୀ ପରୀକ୍ଷା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ତେବେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ ସେଲିବ୍ରିଟି ପରୀକ୍ଷା ବାତିଲ ପାଇଁ ଦାବି କରିଆସୁଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପରୀକ୍ଷା କେନ୍ଦ୍ର ଗୁଡିକ ସୁପର ସ୍ପ୍ରେଡର ହୋଇପାରେ ବୋଲି ଆଶଙ୍କା କରୁଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏଡି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଥିଲେ । ସୋନୁ ସୁଦ ଓ ରବିନା ଟଣ୍ଡନଙ୍କ ଭଳି ସେଲିବ୍ରିଟି ପରୀକ୍ଷା ବାତିଲ କରିବାକୁ ଦାବି କରୁଥିଲେ ।

ଶେଷରେ କେନ୍ଦ୍ର ସରକାର ପରୀକ୍ଷା ବାତିଲ କରିଛନ୍ତି, ଏବେ ପ୍ରଶ୍ନ ଉଠୁଛି ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କଣ ହେବ । ମେ’୩ତାରିଖରୁ ଆରମ୍ଭ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା ପାଇଁ ସମାନ ନିଷ୍ପତ୍ତି ନେବକି ବିଏସଇ । ଏପ୍ରିଲ ୧୬ସୁଦ୍ଧା ଏନେଇ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ପରୀକ୍ଷା ବାତିଲ କିମ୍ବା ବିକଳ୍ପ ବ୍ୟବସ୍ଥା କରିପାରେ ମାଧ୍ୟମିକ ଶିକ୍ଷା ପରିଷଦ ।