ଥରଉଛି ମେଘୁଆ ଜାଡ଼: ଆଜି ରାତିରୁ କମିବ ବର୍ଷା, ବଢିବ ଶୀତ…୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୭ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦେଖାଦେବ ଘନକୁହୁଡି

688

କନକ ବ୍ୟୁରୋ: ରାଜ୍ୟରେ ବର୍ଷା ବଢାଇଲାଣି ଶୀତ ଆଶଙ୍କା । ସକାଳୁ ସଂଧ୍ୟା ଯାଏଁ ଥରୁଛି ସାରା ଓଡିଶା । କୋହଲା ପାଗ ପାଗ କେଉଁଠି କାଳ ହୋଇଛି ତ କେଉଁଠି ହଠାତ୍ ତାପମାତ୍ରା ଖସିବା ଲୋକଙ୍କ ଦୁଃଖକୁ ବଢାଇ ଦେଇଛି । ଏହା ମଧ୍ୟରେ ଆସନ୍ତା ୫ ଦିନ ପାଇଁ ପାଣିପାଗର ସଂଭାବ୍ୟ ସୂଚନା ଜାରିକରିଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୂବନେଶ୍ୱର । ସୂଚନା ଅନୁସାରେ ରାଜ୍ୟର ୧୩ ଜିଲ୍ଲା ଅର୍ଥାତ୍ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲଶ୍ୱର, ଯାଜପୁର , କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ସମସ୍ତ ଜିଲ୍ଲାରେ ଘଡଘଡି ବିଜୁଳି ସହିତ ହାଲୁକା ବର୍ଷା ହୋଇପାରେ ।

୫ ତାରିଖ ସକାଳ ଯାଏଁ ଦକ୍ଷିଣ ଓ ଉତର ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସଂଭାବନା ରହିଛି । ୭ ତାରିଖରେ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡି ପଡିବ । ଏହି କୁହୁଡିର ପରିମାଣ ଅତି ଘନ ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୂବନେଶ୍ୱର । ଆସନ୍ତାକାଲି ଠାରୁ ଉତ୍ତରା ପବନ ରାଜ୍ୟ ଦେଇ ପ୍ରବାହିତ ହେବାକୁ ଥିବାରୁ ରାଜ୍ୟରେ ଦିନ ଅପେକ୍ଷା ରାତିର ତାପମାତ୍ରା ଅଧିକ କମିବ ଓ ଥଂଡା ବଢିବ ବୋଲି କୁହାଯାଇଛି । ଆସନ୍ତା ୮ ତାରିଖ ଆଡକୁ ଉପକୂଳ ଓଡିଶାର ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି ।

ସେପଟେ କିଛି ଦିନ ହେବ ରାଜ୍ୟରେ ଶୀତ ବେଶ୍ ଅନୁଭୂତ ହେଉଛି। କିନ୍ତୁ ଦୁଇ ଦିନ ହେବ ମେଘାଚ୍ଛନ୍ନ ପରିବେଶ ଓ କୋହଲା ପବନ ପୂରା ସହରକୁ ଥରେଇ ଦେଇଛି। ସକାଳୁ ସୂର୍ଯ୍ୟଙ୍କ ଦେଖା ମିଳୁନି ଆଉ ରାତି ପାହିବାଠାରୁ ଆରମ୍ଭ କରି ସଂଜ ପର୍ଯ୍ୟନ୍ତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବାହାରକୁ ଗୋଡ଼ କାଢ଼ିବାକୁ ଦେଉନି। ଲୋକେ ଶୀତବସ୍ତ୍ର ପିନ୍ଧିବେ ନା ରେନକୋଟ୍ ପିନ୍ଧି ବାହାରକୁ ବାହାରିବେ, ସେନେଇ ଦ୍ବନ୍ଦ୍ବରେ ପଡିଗଲେଣି। ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ସେଲସିୟସ ରହିଥିଲେ ହେଁ ବର୍ଷା ଓ କୋହଲା ପବନ ଜନିତ ଜାଡ଼ ଯୋଗୁଁ ବାହାରକୁ ବାହାରିବା ପାଇଁ କାହାରି ମନ ବଳୁନି। ସକାଳୁ ଏଭଳି ପାଗ ପାଇଁ ମାର୍କେଟ୍ ମାନ୍ଦା ରହିଛି। ପଥପାର୍ଶ୍ବ ବେପାର ଅଧିକାଂଶ ସ୍ଥାନରେ ବନ୍ଦ ଥିବା ଦେଖିବାକୁ ମିଳୁନି।

ନୂଆବର୍ଷ ସପ୍ତାହ ଚାଲିଥିବାରୁ ବଣଭୋଜି ମନସ୍କ ବ୍ୟକ୍ତିବିଶେଷ ଅଧିକ ନିରାଶ ହୋଇଗଲେଣି। ଜୟଦେବ ବାଟିକା, ନନ୍ଦନକାନନ ବଟାନିକାଲ୍ ଗାର୍ଡେନ୍, ଡେରାସ, ଧଉଳି ଆଦିରେ ବଣଭୋଜି ପାଇଁ ଆଗରୁ ବୁକିଂ କରିଥିବା ଅଧିକାଂଶ ବ୍ୟକ୍ତିବିଶେଷ ଭୋଜି ବାତିଲ୍ କରି ଦେଉଛନ୍ତି। ତେବେ ଗତକାଲି ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ୮ ମିଲିମିଟର ବର୍ଷା ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୭ଡିଗ୍ରି ସେଲ୍ସିୟସ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବି ହାଲ୍କା ବର୍ଷା ସହ ଆକାଶ ମେଘାଚ୍ଛନ୍ନ ରହିବ। ସର୍ବାଧିକ ତାପମାତ୍ରା ୨୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ୪୮ ଘଣ୍ଟା ପରେ ରାତିର ତାପମାତ୍ରା କିଛି ସ୍ଥାନରେ ଆହୁରି ମଧ୍ୟ ଖସି ଆସିବାର ସମ୍ଭାବନା ରହିଛି।