ଆସନ୍ତା ୧୮ରୁ ପୁଣି ବର୍ଷା ! ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହୋଇପାରେ ବର୍ଷା; ୩୦ରୁ ୪୦ କିମି ବେଗରେ ପବନ ବହିବାର ବି ରହିଛି ସମ୍ଭାବନା

2,678

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନେସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହାପରେ ପାଗରେ ପରିବର୍ତ୍ତନ ଆସିବ। ୧୮ତାରିଖ ଯାଏ ପାଗ ଶୁଖିଲା ରହିବ। ଖରା ବଢ଼ିବ। ତେବେ ୧୮ ଓ ୧୯ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

୧୬ ତାରିଖ ସକାଳ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ଼, କେଉଁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ବିଜୁଳି ସହ ଝଡ଼ବର୍ଷା ହୋଇପାରେ। ଏହାପରେ ୧୬ ଓ ୧୭ ତାରିଖରେ କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, କଟକ, ଭଦ୍ରକ, ଖୋର୍ଧା, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଆଦି ଜିଲ୍ଲାରେ ହାଲୁକା ବର୍ଷା ହେବ। ବାକି ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ।

ଆଞ୍ଚଳିକ ପାଣିପାଗ ବିଭାଗର ସୁଚନା ଅନୁସାରେ, ଆସନ୍ତା ୧୮ ଓ ୧୯ତାରିଖ ସାରା ରାଜ୍ୟରେ ବର୍ଷା ହୋଇପାରେ। ବିଜୁଳି ଓ ଝଡ଼ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ବି ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, କେନ୍ଦ୍ରାପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।