କନକ ବ୍ୟୁରୋ : ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି ବିଦ୍ୟୁତ ବିଭାଗ । କିଟକିଟ୍ ଅନ୍ଧାରରେ ବସି କ୍ୟାଣ୍ଡେଲ ଜାଳି ପାଠ ପଢୁଛନ୍ତି ପିଲା । କଟକ ନିଆଳି ବ୍ଲକ ଦେବୀ-କନ୍ଦଳ ଅନ୍ତର୍ଗତ କସର୍ଦା ପଂଚାୟତ ଅଧିନସ୍ଥ ଦିଗନ୍ତ ଆବାସିକ ବିଦ୍ୟାଳୟରୁ ଆସିଛି ଏଭଳି ଚିତ୍ର ।

ଏବେ ଚାଲିଛି ମାଟ୍ରିକ ପରୀକ୍ଷା । ଦିଗନ୍ତ ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୨୦ ଜଣ ଆଦିବାସୀ ଛାତ୍ର ଶିକ୍ଷା ଗହଣ କରୁଛନ୍ତି । ୬୦ ଜଣ ଛାତ୍ର ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଗତକାଲି ରାତିରେ ବିଦ୍ୟୁତ ବିଭାଗର କର୍ମଚାରୀ ଏହି ବିଦ୍ୟାଳୟରୁ ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଛି । ଫଳରେ ବିଦ୍ୟାଳୟଟି ସଂପୂର୍ଣ୍ଣ ଅନ୍ଧାରରେ ରହିଛି । ସାରା ରାତି ବିଦ୍ୟାଳୟଟି ଅନ୍ଧାରରେ ରହିଥିବା ବେଳେ ମାଟ୍ରିକ ଛାତ୍ରମାନେ ପାଠପଢାରେ ଅନ୍ୟକ ସମସ୍ୟା ଭୋଗୁଥିବା କହିଛନ୍ତି ।

ସୂଚନା ଅନୁସାରେ, ଡିସେମ୍ବର ଓ ଜାନୁଆରୀ ମାସର ବିଦ୍ୟୁତ ବିଲ ପଇଠ କରି ନପାରିବାରୁ ବିଦ୍ୟୁତ ବିଭାଗ ବିଦ୍ୟାଳୟରୁ ବିଜୁଳି ବିଚ୍ଛିନ୍ନ କରିଛି ।  ଏହି ଆବାସିକ ବିଦ୍ୟାଳୟରେ ଓଡିଶାର ୧୮ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଗରିବ, ଅସହାୟ ଛାତ୍ରମାନଙ୍କୁ ନିଶୁକ୍ଲ ଭାବେ ରହିବା, ଖାଇବା ଏବଂ ପାଠପଢାର ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । କଳାହାଣ୍ଡି, କେନ୍ଦୁଝର, ରାୟଗଡା, ଗଜପତି, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ, ଦେବଗଡ, କୋରାପୁଟ, ମୟୁରଭଂଜ ଭଳି ଜିଲ୍ଲାରୁ ଛାତ୍ରମାନେ ଆସି ଏଠାରେ ପାଠ ପଢୁଛନ୍ତି । ବିଦ୍ୟୁତ ବିଛିନ୍ନ କରାଯାଇଥିବାରୁ ମାଟ୍ରିକ ପରୀକ୍ଷାର୍ଥୀ ୬୦ ଜଣ ଛାତ୍ର ମହମବତୀ ଜାଳି ହଷ୍ଟେଲରେ ପାଠ ପଢୁଥିବା ଦେଖିବାକୁ ମିଳିଛି ।