କନକ ବ୍ୟୁରୋ : ପୁଣି ଅଶାନ୍ତ ହୋଇଛି ମଣିପୁର । ସୋମବାର ସନ୍ଧ୍ୟାରେ ହିଂସାକାଣ୍ଡ ହେବାରୁ ଥୋବାଲ ସମେତ ଇମ୍ଫାଲ ଭ୍ୟାଲିର ୫ଟି ଜିଲ୍ଲାରେ କର୍ଫ୍ୟୁ କଟକଣା ଜାରି କରାଯାଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ଥୋବାଲ ଜିଲ୍ଲା ଲୋଲାଙ୍ଗ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ କରିଥିଲେ । ଅଜ୍ଞାତ ଦୁର୍ବୃତଙ୍କ ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ମଣିପୁର ପୋଲିସ ସ୍ପଷ୍ଟ କରିଛି । ଏହାକୁ ନେଇ ଲୋଲାଙ୍ଗ ଅଞ୍ଚଳର ଲୋକ ତାତି ଉଠିଥିଲେ ।
ରାସ୍ତା ଉପରେ ଥିବା ଗାଡି ପୋଡାଜଳା କରିଥିଲେ । ଉତେଜନା ବଢି ହିଂସାକାଣ୍ଡର ରୂପ ନେବା ପରେ ରାଜ୍ୟ ସରକାର ଥୋବାଲ, ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, କାକଚିଙ୍ଗ ଓ ବିଷ୍ଣୁପୁର ଜିଲ୍ଲାରେ କର୍ଫ୍ୟୁ କଟକଣା ବଳବତର କରାଯାଇଛି । ଫଳରେ ଏବେ ପୁଣି ଇମ୍ଫାଲ ଘାଟିକୁ କର୍ଫ୍ୟୁ କଟକଣା ଫେରିଛି । ସେପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଭିଡିଓ ଜାରି କରି ଥୋବାଲ ବାସିନ୍ଦାଙ୍କୁ ହିଂସାକାଣ୍ଡ ନକରି ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି । ଏଥିସହ ଅଭିଯୁକ୍ତମାନେ ଯେଉଁଠି ଥିଲେ ମଧ୍ୟ ଖୋଜି ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଆଗରୁ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।